ବାମରା: ବାମରା ପ୍ରସିଦ୍ଧ ୭ ଦିନିଆ ମକର ମହୋତ୍ସବ ଶନିବାର ହରି-ହର ଭେଟ ସହ ଆରମ୍ଭ ହୋଇଛି। ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ସ୍ଥିତ ଧବଳେଶ୍ୱର ମନ୍ଦିରରୁ ମହାପ୍ରଭୁ ମହାଦେବ ସକାଳ ୯ଟାରେ ରଥାରୁଢ଼ ହୋଇ ଭକ୍ତମାନଙ୍କ ଗହଣରେ ନୁନିଆମୁଣ୍ଡା, ବଡ଼ ଡୁମେରମୁଣ୍ଡା, ଗଡ଼ପୋଷ ଛକ, ବିଜୁ ପଟ୍ଟନାୟକ ଛକ, ଷ୍ଟେସନବସ୍ତି ମୁଖ୍ୟ ମାର୍କେଟ, ବସ ଷ୍ଟାଣ୍ଡ, ଦୁର୍ଗା ମଣ୍ଡପ ଛକ, ବ୍ଲକ ଛକ, ପୋଷ୍ଟ ଅଫିସ ଛକ, ଶ୍ରୀଗୁଣ୍ଡିଚା ଗୁଡ଼ି ଛକ, ଭୁଲିଆ ପଡ଼ା ଛକ ଦେଇ ଗୋବିନ୍ଦପୁର ଖେଳ ପଡ଼ିଆରେ ପହଞ୍ଚିଥିଲେ। ସେହିପରି ଶ୍ରୀ ଜଗନ୍ନାଥ ମହାପ୍ରଭୁ ମଦନ ମୋହନ ବେଶରେ ରଥାରୁଢ ହୋଇ ଭଜନ କୀର୍ତ୍ତନ ସହ ମିଳନ ପଡ଼ିଆ ପହଞ୍ଚିଥିଲେ। ଗୋବିନ୍ଦପୁର ଜମିଦାର ତଥା ଗଜପତି ସଂଜୀବ ପାଲ ମୁଖ୍ୟ କର୍ତ୍ତା ଦାୟିତ୍ବ ତୁଲାଇଥିଲେ।
ସେଠାରେ ଏକ ସ୍ୱତନ୍ତ୍ର ମଞ୍ଚ ତିଆରି କରାଯାଇ ଉଭୟ ହରି-ହରଙ୍କ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମିତ୍ରତାର ଉଦାହରଣ ସ୍ୱରୂପ ଉଭୟ ମହାପ୍ରଭୁ ମକର ବସିଥିଲେ। ଉଭୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ସମସ୍ତଙ୍କୁ ପଡ଼ିଆରେ ମକର ଚାଉଳ ଓ ରାଶି ଲଡୁ ବଣ୍ଟନ କରାଯାଇଥିଲା। ଶୋଭାଯାତ୍ରାକୁ ସ୍ୱାଗତ କରିବାକୁ ଘର ସାମ୍ନାରେ କଳସ, ଦ୍ବୀପ, ଧୂପ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କୁଚିଣ୍ଡା ପୂର୍ବ ବିଧାୟକ ରବି ନାରାୟଣ ନାଏକ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ସଭ୍ୟ କୃଷ୍ଣଚନ୍ଦ୍ର ଟପ୍ପୋ, ସରପଞ୍ଚ ବିମଳ ଲାକ୍ରା, ସମାଜସେବୀ କ୍ଷୀରୋଦ ସା’ଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।
ମକର ବସିଥିବା ୧୦ ଯୋଡ଼ା ଯୁବକ ଯୁବତୀ ଓ ମହିଳା ପୁରୁଷଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା। ୧୯୧୬ ମସିହାରେ ଆରମ୍ଭ ବାମରା ମକର ମେଳା ଚଳିତ ୧୦୭ ବର୍ଷ ପୁରଣ କରିଛି। ତେଣୁ ଶତବାର୍ଷିକୀ ପାଳନ କରାଯାଉଛି। କମିଟିର ସମସ୍ତ କର୍ମକାର୍ତ୍ତାଙ୍କ ସହଯୋଗରେ ଆୟୋଜିତ ଉତ୍ସବରେ କୁଲୁଟା, ଘୁମୁଡ଼ା, ତବଲା କଟା, ସୁବର୍ଣପାଲି, ନୁଆଗାଁ, ମୁଣ୍ଡକଟା, ରେଙ୍ଗାଲି, ସହାସପୁର, ଖଣ୍ଡୋକଟା, ଖୁନ୍ତାମାଲ, ସାରଙ୍ଗଲୋଇ, ଉଲୁଣ୍ଡା, କେଛୁପାଣି, ବାଦପଡ଼ା, ନୁନିଆମୁଣ୍ଡା ଆଦି ଗ୍ରାମର ସଂକୀର୍ତ୍ତନ ଦଳ, ସଂପ୍ରଦା ମଣ୍ଡଳୀ, କୃଷ୍ଣୁଗୁରୁ ସମେତ ସୁର ଝଙ୍କାର, ଘଣ୍ଟ ବାଦ୍ୟ, ଦୁଲଦୁଲି ଆଦି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ୭ ଦିନ ଧରି ମେଳା ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।