ବାମରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଜରାବଗା ପଞ୍ଚାୟତ ଲପଡ଼ା ଗ୍ରାମରେ ସଂଗଠିତ ଟ୍ରିପଲ ମର୍ଡର ଘଟଣା ପରେ ବର୍ତ୍ତମାନ ପୀଡ଼ିତ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଛନ୍ତି। ହତ୍ୟାକାଣ୍ଡ ପରେ ବର୍ତ୍ତମାନ ଘରେ ପୁଅ ସଚିନ(୧୬) ଓ ଝିଅ ସ୍ୱପ୍ନା(୧୪) ସହିତ ବୃଦ୍ଧା ହରାବତୀ(୯୫) ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ନାବାଳକ ଦ୍ବୟ କ’ଣ କରିବେ, କିପରି ଚଳିବେ ଓ ଭବିଷ୍ୟତରେ ପାଠ କେମିତି ପଢ଼ିବେ ସେ ନେଇ ଚିନ୍ତାରେ ରହିଛନ୍ତି। ଏହାବ୍ୟତୀତ ବୁଢ଼ୀ ଅଣ ଆଈଙ୍କ ପାଇଁ ବି ସେମାନେ ବ୍ୟଥିତ ରହିଛନ୍ତି। ୨ ଦିନ ତଳେ ପ୍ରଶାସନ ପକ୍ଷରୁ ରେଡ୍କ୍ରସ ପାଣ୍ଠିରୁ ନଗଦ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ସମେତ ପରବର୍ତ୍ତୀ ପର୍ଯ୍ୟାୟରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।
ଶନିବାର କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଓ ହରେଶ ସାହୁ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି। ପରିବାର ଲୋକଙ୍କ ସାମାଜିକ ସୁରକ୍ଷା ବିଶେଷ କରି ଭାଇ ଭଉଣୀଙ୍କ ପାଠପଢା ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ନାଏକ ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ସ୍ଥାନୀୟ ସରପଞ୍ଚ ଛବିନା ଓରାମ, ସମିତି ସଭ୍ୟ ମଥୁରା ବିହାରୀ କିସାନ ମଧ୍ୟ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ନଗଦ ୬ ହଜାର ଟଙ୍କା, ୨ ବସ୍ତା ଚାଉଳ ଓ ଡାଲି ପ୍ରଦାନ କରିଥିଲେ। ଏହାସହିତ ପାଠପଢା ପାଇଁ ମଧ୍ୟ ଆଗକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକାଶ ଯେ ଉଭୟ ଅସହାୟ ନାବାଳକଙ୍କ ପଠାପଢ଼ା ପାଇଁ ରଙ୍ଗବତୀ ବିଲୁଙ୍ଗ ଗ୍ରାମବାସୀ, ରଙ୍ଗବତୀ କ୍ରୀଡ଼ା ସଂସ୍କୃତି ଏକାଡେମି ଓ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁ ମାମାନେ ମିଶି ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛ। ସେହିଭଳି ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଅସହାୟ ପରିବାରର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bamara-murder-case-1.jpg)
