ସମ୍ବଲପୁର: ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶର ବାବାଙ୍କ ପତ୍ରପେଣ୍ଡି ସହ ସମ୍ବଲପୁରର ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହୋଇଛି। କନ୍ୟା ସନ୍ଧାନରେ ବାହାରିଥିବା ବାଲୁଙ୍କେଶ୍ବର ବାବାଙ୍କ ପରିବାର ଲୋକଙ୍କୁ ଜଗତଜନନୀ ମାତା ପାର୍ବତୀଙ୍କ ଠିକଣା ମିଳିବା ପରେ ପତରପେଁଡ଼ି ଅନୁଷ୍ଠିତ ହେବା ସହ ବିବାହ ସ୍ଥିରୀକୃତ ହୋଇଛି।

Advertisment

ପରଂପରା ଅନୁଯାୟୀ ଶନିବାର ରାତି ସାଢ଼େ ୭ଟାବେଳେ ବରପିତା ରାମ ଚରଣ ମିଶ୍ର ସପ୍ତଋଷି ଓ ପଡ଼ା ମୁରବୀମାନଙ୍କ ସହ ବ˚ ବରାଡ୍‌ ବାଲୁ˚କେଶ୍ବର ବାବାଙ୍କ ପାଇଁ କନ୍ୟା ଖୋଜିବାକୁ ବାହାରିଥିଲେ। ଏକ ସୁସଜ୍ଜିତ ରଥରେ ବସିଥିବା ବରପିତା ସରଗି ପତ୍ର, ଦେବଦେବ ମହାଦେବଙ୍କ ବେଲପତ୍ର ଓ ଫୁଲ ଧରିଥିବାବେଳେ ସାଥୀରେ ପଡ଼ାର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବକମାନେ ଶୋଭାଯାତ୍ରାରେ ଯାଇଥିଲେ। ଝଣ୍ଡା, ଛତ୍ର, ବୈରଖରେ ‌ସଜ୍ଜିତ ଶୋଭାଯାତ୍ରା ଘଣ୍ଟ, ଶଂଖ ଧ୍ବନୀ ମଧ୍ୟରେ ନନ୍ଦପଡ଼ା ବାଲୁ˚କେଶ୍ବର ମନ୍ଦିରରୁ ବାହାରି କନ୍ୟା ଗୃହ ଜଗନ୍ନାଥ କଲୋନି ଅଭିମୁଖେ ବଢ଼ିଥିଲା। ଶୋଭାଯାତ୍ରାରେ ଶଂଖ, ଘଣ୍ଟ, ଦୁଲଦୁଲି, ଧମାଲ ବାଦ୍ୟ, ଆଦିବାସୀ ଶବର ନୃତ୍ୟ ଆଦି ବାଦ୍ୟ ଦଳ ସାମିଲ ହୋଇଥିଲେ। ମହାନ୍ତିପଡ଼ା, ପଟ୍ଟନାୟକପଡ଼ା, କୁଞ୍ଜେଲପଡ଼ା, ମୁଦିପଡ଼ା, ଜିଏମ୍‌ୟୁ, ଫାଟକ, ବୁଢ଼ାରଜା ମାର୍ଗ ଦେଇ ଏହା ରାତି ପ୍ରାୟ ୧୦ଟା ବେଳେ ଜଗନ୍ନାଥ କଲୋନିସ୍ଥିତ କନ୍ୟାଳୟରେ ପହଞ୍ଚିଥିଲା। କନ୍ୟା ପିତାମାତା ରାଜେନ୍ଦ୍ର ନନ୍ଦ ଏବଂ ସୁଲୋଚନା ନନ୍ଦଙ୍କ ସମେତ ପରିବାର ଲୋକେ ଶୋଭାଯାତ୍ରାକୁ ସ୍ବାଗତ କରିଥିଲେ।

ଏହାପରେ ବର ଓ କନ୍ୟାପକ୍ଷ ମଧୢରେ କଥୋପକଥନ ହୋଇଥିଲା। ପରଂପରା ଅନୁଯାୟୀ ବରପକ୍ଷ ତାଙ୍କ ବିବାହ ଯୋଗ୍ୟ ଏକ ପୁଅ ଥିବା ସୂଚନା ଦେଇ ସେଠାରେ ଜଣେ ବିବାହଯୋଗ୍ୟା କନ୍ୟା ଥିବା ଖବର ପାଇଛନ୍ତି ବୋଲି କହିଥିଲେ। କନ୍ୟା ପକ୍ଷ ବର ପକ୍ଷଙ୍କୁ ଘର ଭିତରକୁ ପାଛୋଟି ନେଇ ଆତିଥ୍ୟ ପ୍ରଦାନ କରିଥିଲେ। ପୁଅର ଗୁଣ ବଖାଣିବାକୁ ଯାଇ ବରପକ୍ଷ ‘ଧ୍ୟାୟେ ନିତ୍ୟମ୍‌ ମହେଶମ୍‌, ରଜତ ଗିରି ନିଭମ୍‌, ଚାରୁଚନ୍ଦ୍ରା ବସନ୍ତମ୍‌ ସମ୍‌, ରତ୍ନକଳ୍ପୋ ଜଳାଙ୍ଗମ୍‌, ପରସୋ ମୃଗ ଭରମ୍‌, ଭିତ୍ୟସ୍ତାମ୍‌ ପ୍ରସନ୍ନମ୍‌ ପଦ୍ମାସୀନ ସମୋସ୍ତାପ...’ ଶ୍ଳୋକ ଆବୃତ୍ତି ସହ ବାଲୁଙ୍କେଶର ଶ୍ମଶାନଚାରୀ, ଦେହରେ ପାଉଁଶ ବୋଳି ହୋଇଥାଆନ୍ତି ବୋଲି କହିଥିଲେ। ଏହାପରେ କନ୍ୟାପକ୍ଷ ମାତା ପାର୍ବତୀଙ୍କ ଗୁଣ ବର୍ଣ୍ଣନା କରିଥିଲେ। ଉଭୟ ପକ୍ଷ ମଧୢରେ କଥୋପକଥନ ଏବ˚ ବୁଝାମଣା ପରେ ବିବାହ ସ୍ଥିର ହୋଇଥିଲା। ବରପିତା ଶ୍ରୀ ମିଶ୍ର ସରଗି ପତ୍ର ପେଣ୍ଡା ସହ ମହାଦେବଙ୍କ ଫୁଲ, ବେଲପତ୍ର ଦେଇ ବିବାହ ନିର୍ଦ୍ଦିଷ୍ଟ କରିଥିଲେ। କାର୍ଯ୍ୟକ୍ରମରେ ସପ୍ତଋଷିଭାବେ ନନ୍ଦପଡ଼ାର ବିଜୟ ମିଶ୍ର, କାମପାଳ ହୋତା, ଗୋଲକ ବିହାରୀ ମିଶ୍ର, ଅଶୋକ ମିଶ୍ର, ଚକ୍ରଧର ମିଶ୍ର, ପୂର୍ଣାନନ୍ଦ ମିଶ୍ର ଏବଂ ଅମରେନ୍ଦ୍ର ପୂଜାରୀ ସାମିଲ ହୋଇଥିଲେ।

ପଣ୍ତିତ ଶଶା˚କ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ। ଅନ୍ୟମାନଙ୍କ ମଧୢରେ ଯାତ୍ରା କମିଟିର ସଭାପତି ପ୍ରଶାନ୍ତ ବରେଇ, ଅମୂଲ୍ୟ ମିଶ୍ର, ପ୍ରଫୁଲ୍ଲ ହୋତା, ନିଗମାନନ୍ଦ ମିଶ୍ର, ସନ୍ତୋଷ ମିଶ୍ର, ଭବାନୀ ମିଶ୍ର, ଜିତେନ୍ଦ୍ର ନନ୍ଦ, ପ୍ରଭୁଦତ୍ତ ପଣ୍ଡା, ମାନସ ରଥ, ସୁଶ୍ରିତ ମିଶ୍ର, ସନତ ନନ୍ଦ, ଆଶିଷ ବାବୁ, ଅବିନାଶ ମିଶ୍ର, ନିହାର ମିଶ୍ର, ଫଣିଭୂଷଣ ମିଶ୍ର, ପ୍ରଫୁଲ୍ଲ ହୋତା, ବାଳଗୋପାଳ ନନ୍ଦ, ଲାଲଗୋପାଳ ନନ୍ଦ, ଧବଳ ହୋତା, ଭୂବନ ମୋହନ ମିଶ୍ର, ପ୍ରଶାନ୍ତ ଦାଶ, ବିଭୂତି ମିଶ୍ର, ଗୋପାଳ ପୃଷେଠ୍‌, ବିଷ୍ଣୁ ପାଢ଼ୀ, ବିକାଶ ମିଶ୍ର, ବିରାଜ ମିଶ୍ର, ମନୋଜ ମହାପାତ୍ର, ସିଦ୍ଧେଶ୍ବର ନନ୍ଦ, ମାନସ ରଥ, ରାଜୀବ ମାଝୀଙ୍କ ସମେତ ଶତାଧିକ ପଡ଼ାବାସୀ ଉପସ୍ଥିତ ଥିଲେ।