ବରଗଡ଼ : ମଣିଷ ଜୀବନରେ ବାଉଁଶର ରହିଛି ସ୍ୱତନ୍ତ୍ର ସ୍ଥାନ। ବାଉଁଶ ଗରିବ ଲୋକଙ୍କ ଘର ତିଆରି ପାଇଁ ବ୍ୟବହାର ହେଉଥିବା ବେଳେ ମଣିଷର ଅନ୍ତିମ ଯାତ୍ରାରେ ମଧ୍ୟ ଏହାର ମୁଖ୍ୟ ଭୂମିକା ଥାଏ । ବାଉଁଶରୁ ପ୍ରସ୍ତୁତ କର୍ଡ଼ି, ହେଣ୍ଡୁଆ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଖାଦ୍ୟ ପ୍ରଦାର୍ଥ ଭାବେ ବ୍ୟବହାର ହୋଇ ଆସୁଛି। ବାଉଁଶ ପ୍ରସ୍ତୁତ ଡାଲା, କୁଲା, ତାଟି, ଭଳି ସାମଗ୍ରୀ ମଣିଷର ଦୈନନ୍ଦିନ ଜୀବନର ଏକ ଅଂଶରେ ପରିଣତ ହୋଇଛି । କିନ୍ତୁ ଏହି ବାଉଁଶକୁ ବ୍ୟବହାର କରି ଜୀବିକା ନିର୍ବାହ କରୁଥିବା କାଉଁଶ କାରିଗର ବର୍ତମାନ ଦୟନୀୟ ସ୍ଥିତିରେ ଗତି କରୁଛି। ବରଗଡ଼ ସହର ସମେତ କଁଟାପାଲି ଗାଁରେ ଥିବା ବାଉଁଶ କାରିଗର ସଂକଟ ଭିତରେ। କଁଟାପାଲିରେ ରହୁଥିବା ଶହଶହ କାରିଗର କେବଳ ବାଉଁଶ ନିର୍ମିତ ସାମଗ୍ରୀ ତିଆରି କରି ପରିବାର ପୋଷଣ କରୁଛନ୍ତି । ଗୋଟିଏପଟେ ବାଉଁଶ ଜଙ୍ଗଲ ପରିଧି କମୁଥିବା ବେଳେ ଅନ୍ୟପଟେ ମଣିଷକୁ ରଙ୍ଗବେରଙ୍ଗର ପ୍ଲାଷ୍ଟିକ୍ ସାମଗ୍ରୀ ଆକୃଷ୍ଟ କରୁଛି। ବାଉଁଶ ଡାଲା, କୁଲାର ସ୍ଥାନ ପ୍ଲାଷ୍ଟିକ୍ ସାମଗ୍ରୀ ନେଇସରିଛି । ଫଳରେ ବାଉଁଶ କାରିଗରମାନେ ପରିବାରମାନେ ଦୟନୀୟ ସ୍ଥିତିରେ ଗତି କରିବାକୁ ପଡ଼ୁଛି। ପୂର୍ବରୁ ଡେବ୍ରିଗଡ଼ ସମେତ ଆଖପାଖ ଜଂଗଲରୁ ପର୍ଯ୍ୟାପ୍ତ ବାଉଁଶ ମିଳୁଥିଲା। କିନ୍ତୁ ଜଂଗଲ କାଟ୍ ଯୋଗୁଁ ବାଉଁଶ ସଂଗ୍ରହ କରିବା କାଠିକର ହୋଇଗଲାଣି ବୋଲି କାରିଗରମାନେ କହୁଛନ୍ତି । ନୂଆପିଢ଼ି ମଧ୍ୟ କୌଳିକ ପେସାଠାରୁ ଦୂରେଇ ଯାଉଛନ୍ତି । ସରକାର ହସ୍ତତନ୍ତ ଓ କୁଟୀରଶିଳ୍ପକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରୋତ୍ସାହନ ଦେଉଥିଲେ ମଧ୍ୟ ବାଉଁଶ କାରିଗରମାନେ ଏଥିରୁ ବଂଚିତ ରହିଛନ୍ତି। ସଂକୁଚିତ ବଜାର ଯୋଗୁଁ କାରିଗରମାନେ ସମାଗ୍ରୀର ଉଚିତ ମୂଲ୍ୟ ପାଉନାହାନ୍ତି। ତେଣୁ ବଜାର ବ୍ୟବସ୍ଥା ସାଂଗକୁ କାରିଗରମାନଙ୍କ ପାଇଁ ସରକାରୀ ସ୍ତରରେ ପ୍ରଶିକ୍ଷଣ ଓ କିଛି ଯୋଜନା କରାଗଲେ ଉଚିତ ହୁଅନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।
ଜଂଗଲ କଟୁଛି, ବାଉଁଶ ଅଭାବ, ସଂକଟରେ ବାଉଁଶ କାରିଗର
/sambad/media/post_attachments/wp-content/uploads/2019/05/bamboo-copy.jpg)