ପ୍ଲାଷ୍ଟିକକୁ ଟକ୍କର ଦେବ ବାଉଁଶ, ଘରକରଣା ସାମଗ୍ରୀ ପ୍ରସ୍ତୁତି ପାଇଁ ଚାଲିଛି ପ୍ରୟାସ

ଜୟପୁର: ପ୍ଳାଷ୍ଟିକକୁ ଟକ୍କର ଦେବ ବାଉଁଶ । ପ୍ଳାଷ୍ଟିକ ନିର୍ମିତ ଉପକରଣର ବହୁଳ ବ୍ୟବହାର ଫଳରେ ବାଉଁଶରେ ନିର୍ମିତ ଉପକରଣ ଚାହିଦା କମିବା ସାଙ୍ଗକୁ କାରିଗରମାନେ ନିଜର ଜୀବିକା ହରାଇ ବସିଥିଲେ । କିନ୍ତୁ ସରକାର ପ୍ଳାଷ୍ଟିକ ସାମଗ୍ରୀ ଉପରେ କଟକଣା ଲଗାଇବା ପରେ ପୁଣି ବାଉଁଶର ଚାହିଦା ବଢୁଛି । ଆଉ ଏହି ଚାହିଦାକୁ ବଢାଇବା ପାଇଁ କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର ଧଳପୁରଠାରେ ଜୟପୁର ବନ ବିଭାଗ ଖୋଲିଛି ରାଜ୍ୟର ପ୍ରଥମ ବାଉଁଶ କାରିଗରିଶାଳା । ସୋଫାସେଟ, ପଲଙ୍କ, ଚେୟାର ଟେବୁଲ ସାଙ୍ଗକୁ ସୁନ୍ଦର ସୁନ୍ଦର, ଘରୋଇ ଉପକରଣ, ସାଜସଜା ସାମଗ୍ରୀ ।

ସବୁ କିଛି ଚିରସ୍ଥାୟୀ ମଜବୁତ ଓ କମ ଦାମରେ ଉପଲବ୍ଧ । ବନ ସୁରକ୍ଷା ସମିିିତି ଦ୍ୱାରା ପରିଚାଳନା ହେଉଥିବା ଏହି କର୍ମଶାଳାରେ ବିଭିନ୍ନ ଅଞ୍ଚଳର ଆଦିବାସୀ ଯୁବକ ଓ ମହିଳାମାନେ ଉନ୍ନତ ମାନର ବାଉଁଶ କାରିଗରି ଶିକ୍ଷା ନେବା ସହ ଆଧୁନିକ ପ୍ରଣାଳୀରେ କମ ଖର୍ଚ୍ଚ ଓ ପରିଶ୍ରମରେ ବିଭିନ୍ନ ପ୍ରକାର ଉପକରଣ ତିଆରି ପାରୁଛନ୍ତି । ଅବୈଧ ଭାବେ କଟାଯାଉଥିବା ଜଙ୍ଗଲର ସୁରକ୍ଷା ସାଙ୍ଗକୁ ଗାଁ ଗାଁରେ ଦାଦନ ଖଟିବା ପାଇଁ ଯାଉଥିବା ଶ୍ରମିକମାନେ ରୋଜଗାରର ବାଟ ପାଇପାରିଛନ୍ତି ।

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ କାମ ହେଉଥିବାବେଳେ ଅଧିକ ବର୍ଷ ପର୍ଯ୍ୟନ୍ତ ବାଉଁଶ ନିର୍ମିତ ସାମଗ୍ରୀ ରହିବା ପାଇଁ ତାକୁ ଟ୍ରିଟମେଟଂ ମଧ୍ୟ କରାଯାଉଛି ବୋଲି ବନ ସୁରକ୍ଷା ସମିତିର ଅଧ୍ୟକ୍ଷ କହିଛନ୍ତି । ତେବେ ଏହି କର୍ମଶାଳା ଖୋଲିବାର ୩ ମାସ ଭିତରେ ୩୦ ରୁ ଅଧିକ ଆଦିବାସୀ ଯୁବକ ଏହି କୌଶଳ ଶିଖି କାମ କରୁଥିବାବେଳେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଉପକରଣକୁ ନେଇ ବାହାରେ ବିକ୍ରି କରି ଲାଭବାନ ହୋଇପାରିଛନ୍ତି । ଭିନ୍ନ ଭିନ୍ନ ନୁଆ ଡ଼ିଜାଇନ ପାଇଁ ଆସାମ ଓ କଲିକତାରୁ କାରିଗର ଆସି ଏହି ଲୋକଙ୍କୁ ତାଲିମ ଦେବାର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ସମ୍ବନ୍ଧିତ ଖବର