ବାଇକ୍ ଆରୋହୀଙ୍କ ବେକରେ ପଶିଗଲା ବାଉଁଶ

ଆନନ୍ଦପୁର/ହାଟଡିହି : ପିକ୍‌ଅପ୍‌ ଭ୍ୟାନ୍‌ରେ ବିପଜ୍ଜନକ ଭାବେ ବାଉଁଶ ପରିବହନର କରୁଣ ପରିଣତି ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟରେ ଦେଖିବାକୁ ମିଳିଛି। ପଛରେ ଯାଉଥିବା ଜଣେ ବାଇକ୍‌ ଚାଳକଙ୍କ ବେକରେ ଏକ ବଡ଼ ବାଉଁଶ ପଶିଯାଇଛି। ଏଥିରେ ଘସିପୁରା ଥାନା ଜାମୁବାହାଳି ଗ୍ରାମର ସାନୁ ତିରିଆ (୪୦) ଗୁରୁତର ଆହତ ହୋଇଛନ୍ତି। ସାନୁ ବାଇକ୍‌ରେ ଆଜି ଛେନାପଦିରୁ ଆନନ୍ଦପୁର ଆଡ଼କୁ ଯାଉଥିଲେ। ତାଙ୍କ ଆଗରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଟେଣ୍ଟ ପାର୍ଟି ବାଉଁଶ ନେଇ ଅଣାରୁ ଚୋରଗଡ଼ିଆ ଗାଁକୁ ଯାଉଥିଲା। ବାଉଁଶଗୁଡ଼ିକ ଡାଲାରୁ ବହୁ ପଛକୁ ଲମ୍ବିଥିଲା। ଚୋରଗଡ଼ିଆ ଛକ ନିକଟରେ ଭ୍ୟାନ୍‌ଟି ହଠାତ ବ୍ରେକ୍‌ ମାରି ଡାହାଣକୁ ବୁଲାଇଥିଲା। ଲମ୍ବା ବାଉଁଶ ବୁଲିଯିବାରୁ ପଛରେ ଯାଉଥିବା ବାଇକ୍‌ ଚାଳକ ସାନୁଙ୍କ ବେକ ମୂଳରେ ଏକ ବାଉଁଶ ପଶିଯାଇଥିଲା। ତାହା ତାଙ୍କ ଡାହାଣ ପାଖ ବେକମୂଳ ଦେଇ କାନ ପାଖରେ ବାହାରିଯାଇଥିଲା। ଯେ ଯନ୍ତ୍ରଣାରେ ଚିତ୍କାର କରି ଛଟପଟ ହୋଇଥ‌ିଲେ। ବାଉଁଶଟି ସେମିତି ବେକମୂଳରେ ପଶି ରହିଥିଲା। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚି ବାଉଁଶଟିକୁ କାଟି ଛୋଟ କରିବା ସହ ତାଙ୍କୁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ବାଉଁଶଟିକୁ ବାହାର କରାଯାଇଥିଲେ ହେଁ ତାଙ୍କ ଅବସ୍ଥା ଗୁରୁତର ରହିଛି। ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଉଁଶ ବୋଝେଇ ଭ୍ୟାନ୍‌ଟି ଫେରାର ହୋଇଯାଇଛି। ନନ୍ଦିପଦା ଥାନା ସହ ଯୋଗାଯୋଗ କରିବାରୁ ଗାଡ଼ିଟିକୁ ଜବତ କରାଯାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର