ଚନ୍ଦ୍ରଶେଖରପୁର : ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଓଡ଼ିଶା ବାଉଁଶ ଗବେଷଣା କେନ୍ଦ୍ର ବା ବାମ୍ବୋ ରିସୋର୍ସ ସେଣ୍ଟର। ଜେକେ ପେପର୍ର ସ୍ପର୍ଶ ଫାଉଣ୍ଡେସନ ଓ ନାବାର୍ଡର ମିଳିତ ସହଯୋଗରେ ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରରେ ବାଉଁଶ ଉପରେ ଗବେଷଣା, ଆଲୋଚନା ପର୍ଯ୍ୟାଲୋଚନା ଓ ବାଉଁଶ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଓଡ଼ିଶାରେ ବାଉଁଶ ଅର୍ଥନୀତି, ଏହାର ଭବିଷ୍ୟତ ସମ୍ପର୍କରେ ଜାତୀୟ ଓ ଆଞ୍ଚଳିକସ୍ତରର ଗବେଷକମାନେ ଆଲୋଚନା କରିଥିଲେ। ସେମାନେ କହିଛନ୍ତି ଯେ ଏହି କେନ୍ଦ୍ର ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ବାଉଁଶକୁ ନେଇ କାର୍ଯ୍ୟକାରୀ କରାଯାଉଥିବା ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ ଅନୁଧ୍ୟାନ କରିବ ଏବଂ ସେହି ପ୍ରକ୍ରିୟାକୁ ଓଡ଼ିଶାରେ କିଭଳି ଲାଗୁ କରାଯାଇପାରିବ ସେଥିପାଇଁ ପ୍ରସ୍ତାବ ପ୍ରଦାନ କରିବ। ହୋଟେଲ ସୂର୍ଯ୍ୟାଂଶରେ ଜାତୀୟ ବାଉଁଶ ମିସନ ଉପରେ ଆୟୋଜିତ ଏହି ଦିନିକିଆ କର୍ମଶାଳାରେ ଜେ କେ ପେପର୍ର ମହା ପ୍ରବନ୍ଧକ ପ୍ରଫେସର ପ୍ରଫୁଲ୍ଲ ଧଳ ଏହି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କର୍ମଶାଳାରେ ୫ଟି ବୈଷୟିକ ଅଧିବେଶନରେ ବାଉଁଶ ଶିଳ୍ପର ଉନ୍ନତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଆମ ଜୀବନ ସହ ବାଉଁଶ କିଭଳି ଜଡ଼ିତ ରହିଛି, ଏହି କ୍ଷେତ୍ରରେ ଜୀବନଜୀବିକାର ବିକାଶ, ବାଉଁଶକୁ ନେଇ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବା, ବାଉଁଶ କ୍ଷେତ୍ରରେ କର୍ପୋରେଟ୍ ପାଣ୍ଠି ବିନିଯୋଗ କିଭଳି ବୃଦ୍ଧି ହୋଇପାରିବ ସେନେଇ ରଣନୀତି ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। କର୍ପୋରେଟ୍ ସାମାଜିକ ଦାୟିତ୍ବ(ସିଏସ୍ଆର) କ୍ଷେତ୍ରରେ ବାଉଁଶର ଉପଯୋଗିତା ବଢ଼ିଲେ ଏହି କ୍ଷେତ୍ରକୁ ନୂତନ ଜୀବନଦାନ ମିଳିବ ବୋଲି ବକ୍ତାମାନେ କହିଥିଲେ। ବାଉଁଶ ଚାଷୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରିବା ଓ ବାଣିଜ୍ୟିକ କାର୍ଯ୍ୟ ଲାଗି ବାଉଁଶ ଚାଷର ପ୍ରସାର ନିମନ୍ତେ ଦିଆଯାଇଥିବା ପ୍ରସ୍ତାବକୁ ନାବାର୍ଡର ସିଜିଏମ୍ ଏ ଚନ୍ଦ୍ରଶେଖର ପ୍ରଶଂସା କରିଥିଲେ।
ବିଭିନ୍ନ ବୈଷୟିକ ଅଧିବେଶନରେ ବାଙ୍ଗାଲୁରୁସ୍ଥିତ ଆଇପିଆଇଆରଟିଆଇର ବି ଏନ୍ ମହାନ୍ତି, ହରିଆନାର ପଙ୍କଜ ଆରୋରା, ୟୁଏସ୍ର ହରିଶ ଦାସ, ପଣ୍ଡିଚେରିର ଜନ୍ମଜୟ ମହାନ୍ତି, ତାମିଲନାଡ଼ୁର ଏନ୍ ବାରାଥିଙ୍କ ସମେତ ସାରା ଦେଶର ଅନେକ ବାଉଁଶ ବିଶେଷଜ୍ଞ ଏହି କର୍ଯ୍ୟକ୍ରମ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧି ଓ ଅଂଶୀଦାରମାନେ ମଧ୍ୟ ଭାଗନେଇଥିଲେ। ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମର ଶିକ୍ଷା ସହଯୋଗୀ ଥିବା ବେଳେ ଇଙ୍କ୍ସ୍ୟାଣ୍ଡ ଆର୍ଟ ଆଣ୍ଡ କ୍ରାଫ୍ଟସ୍ ଏହାର ପରିବେଶ ମିତବ୍ୟୟୀ ସହଯୋଗୀ ଭାବେ ଭାଗନେଇଥିଲେ।