ରାୟଗଡ଼ା : ଜଙ୍ଗଲ ବିଭାଗ ଆଇନ ଅନୁଯାୟୀ ବିକ୍ରି ମନା। ଏହା ସତ୍ତ୍ବେ ବଢ଼ି ଚାଲିଛି ବାଉଁଶ କରଡ଼ିର ଚାହିଦା। ଆଦିବାସୀ ଅଧ୍ୟୁଷିତ ଇଲାକା ରାୟଗଡ଼ାରେ ଏହି ଜଙ୍ଗଲଜାତ ଦ୍ରବ୍ୟର ଚାହିଦା ଏବେ ଢ଼େର। ସୁସ୍ବାଦ ସାଙ୍ଗକୁ କରଡ଼ିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ ରହୁଥିବାରୁ ସ୍ବାସ୍ଥ୍ୟ ପାଇଁ ଏହା ହିତକାରକ। ଯେଉଁଥି ପାଇଁ ଆଦିବାସୀଙ୍କ ଭଳି ସାଧାରଣ ଲୋକ ବି ଖାଦ୍ୟ ଥାଳିରେ ବାଉଁଶ କରଡ଼ିକୁ ଏକ ଆଇଟମ୍ ଭାବେ ସାମିଲ୍ କଲେଣି।
ବର୍ଷା ଦିନରେ ପ୍ରଚୁର ପରିମାଣରେ କରଡ଼ି ବଜାରକୁ ବିକ୍ରି ପାଇଁ ଆସିଥାଏ। କାହିଁ କେଉଁ କାଳରୁ ଆଦିବାସୀ ବାଉଁଶ କରଡ଼ିକୁ ନିଜ ଖାଦ୍ୟ ଭାବେ ବ୍ୟବହାର କରିବା ସହ ବିକ୍ରି କରି ଆସୁଛି। ବନ ବିଭାଗର ତାଗିଦ୍ ପରେ କରଡ଼ିର ବିକ୍ରି କମିଛି। ବାଉଁଶ ଗଛ ଉତ୍ପାଦନରେ ଏହା ବାଧକ ସାଜୁଥିବାରୁ ବନ ବିଭାଗ ଆଦିବାସୀଙ୍କୁ ବାଉଁଶ କରଡ଼ି କାଟିବା ପାଇଁ ମନା କରିଛି। କିନ୍ତୁ ପୁରୁଷ ପୁରୁଷ ଧରି ନିଜର ପ୍ରିୟ ଖାଦ୍ୟ ଭାବେ ଆଦିବାସୀ ବ୍ୟବହାର କରି ଆସୁଥିବାରୁ କରଡ଼ିର ଚାହିଦା କମିନି। ବିଶେଷ କରି ବର୍ଷା ଦିନରେ ଆଦିବାସୀଙ୍କ ପାଖରେ ଅନ୍ୟ ଖାଦ୍ୟ ସାମଗ୍ରୀ ମହଜୁଦ୍ ନଥିବାରୁ ଜଙ୍ଗଲରେ ଥିବା ବାଉଁଶ ବଣରୁ ନୂଆ କରି ଗଜା ହେଉଥିବା ଗଛକୁ କାଟି କରଡ଼ି ବାହାରି କରିଥାନ୍ତି। କିଛି କରଡ଼ିକୁ ଖାଦ୍ୟ ପାଇଁ ରଖି ଅନ୍ୟ କରଡ଼ିକୁ ବଜାରରେ ବିକ୍ରି କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ନୂଆ ଫସଲ ଉତ୍ପାଦନ ପର୍ଯ୍ୟନ୍ତ ୨/୩ ମାସ ଧରି ବାଉଁଶ କରଡ଼ିକୁ ଆଦିବାସୀମାନେ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି। ପ୍ରଥମେ କରଡ଼ିକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଖରାରେ ସୁଖାଇ ଘରେ ରଖି ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାର ନଜିର ରହିଛି। ଏକ ନିର୍ଧିଷ୍ଟ ସମୟ ପାଇଁ ବଜାରରେ ଏହା ବିକ୍ରି ହେଉଥିବାରୁ ଚାହିଦା ଢ଼େର ରହିଥାଏ। କରଡ଼ିର ପ୍ରସ୍ତୁତ ତରକାରୀ, ଭଜା ଭାରି ସୁସ୍ବାଦିଷ୍ଟ ଯୋଗୁ ସାଧାରଣ ଲୋକ ମଧ୍ୟ କରଡ଼ିକୁ କିଣି ନେଇଥାନ୍ତି। ବିଡ଼ା ପିଛା ମାର୍କେଟରେ ୨୦ରୁ ୩୦ ଟଙ୍କାରେ ବିକ୍ରି କରିଥାନ୍ତି ଆଦିବାସୀ। ଗୋଟିଏ ଦିନ ଆଗରୁ ଜଙ୍ଗଲକୁ ଯାଇ ଖୋଜି ଖୋଜି ଆଣିବା ପରେ ପରଦିନ ମାର୍କେଟକୁ ବିକ୍ରି ପାଇଁ ଆଣିଥାନ୍ତି। ପୂର୍ବ ଭଳି ଆଉ ଜଙ୍ଗଲରେ ବାଉଁଶ କରଡ଼ି ମିଳୁନି। ବହୁ ପରିଶ୍ରମ ପରେ ଅଳ୍ପ ପରିମାଣର କରଡ଼ି ମିଳୁଥିବାରୁ ବଜାରକୁ ଆସିବା ସଙ୍ଗେ ସଙ୍ଗେ ସରି ଯାଉଥିବା କହିଛନ୍ତି ଆଦିବାସୀ। ଜିଲ୍ଲାର ରାୟଗଡ଼ା, ବିଷମକଟକ, ଗୁଡ଼ାରି, କୋଲନରା, କଲ୍ୟାଣସିଂହପୁର, କାଶୀପୁର, ଗୁଣପୁର ବଜାରରେ ବର୍ଷା ଦିନରେ କରଡ଼ିର ବହୁଳ ବିକ୍ରି ହୋଇଥାଏ।
ବାଉଁଶ ଗଜା କରଡ଼ି ଏକ ଖାଦ୍ୟ କି ନୁହେଁ ସେଥି ପାଇଁ ଚାଲିଛି ତର୍ଜମା। ଡାକ୍ତରଙ୍କ କହିବାନୁଯାୟୀ, ବାଉଁଶ ଗଜା କରଡ଼ିରେ ରହିଛି ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍। ଏହାକୁ ଉଚିତ୍ ପ୍ରଣାଳୀ (ହଳଦୀ ପାଣିରେ ଭିଜାଇ, ଗରମ ପାଣିରେ ସିଝାଇ) ରେ ରୋଷୋଇ କରି ଖାଇଲେ କୌଣସି ଅସୁବିଧା ନାହିଁ। ବୈଜ୍ଞାନିକ ପରୀକ୍ଷା ନୀରିକ୍ଷା ପୂର୍ବରୁ ଆଦିବାସୀ ଓ ସାଧାରଣ ଲୋକଙ୍କ ପ୍ରମୁଖ ଖାଦ୍ୟ ଭାବେ ଏହା ପରିଣତ ହୋଇଛି। ତେବେ ବାଉଁଶ ବନ୍ୟ ସଂପଦ ହୋଇଥିବାରୁ ବନ ବିଭାଗ କରଡ଼ିର ବିକ୍ରି ଦିଗରେ କଟକଣା ଲଗାଇଛି। ବାଉଁଶ ଗଛ ବଡ଼ ହେବା ପରେ ଲୋକଙ୍କ ବହୁବିଧ କାମରେ ଆସିବା ସହ କାଗଜ ପ୍ରସ୍ତୁତ ସହିତ ବିଭିନ୍ନ ଘରୋଇ ଉପରକରଣ ତିଆରି ହେଉଛି। କିନ୍ତୁ ଗଛ ଗଜା ସମୟରେ କରଡ଼ି ପାଇଁ ଆଦିବାସୀ କାଟି ଦେଉଥିବାରୁ ଆବଶ୍ୟକ ଅନୁଯାୟୀ ଜିଲ୍ଲାରେ ବାଉଁଶ ଉତ୍ପାଦନ ହୋଇ ପାରୁନି। ବନ ବିଭାଗ ସୂଚନାନୁଯାୟୀ, ଜିଲ୍ଲାର ମୁନିଗୁଡ଼ା, ଗୁଡ଼ାରି, କଲ୍ୟାଣସିଂହପୁର ରେଞ୍ଜ ସମେତ ୧୭ରୁ ୧୮ ସ୍ଥାନରେ ବାଉଁଶ ଗଛ ଚାରା ଲଗାଯାଇଛି। ୭୦ରୁ ୮୦ ପ୍ରତିଶତ ବାଉଁଶ କେବଳ ମୁନିଗୁଡ଼ା ରେଞ୍ଜ ଅଞ୍ଚଳରୁ ଉତ୍ପାଦନ ହୋଇଥାଏ। ପୂର୍ବରୁ ଉତ୍ପାଦିତ ବାଉଁଶକୁ ଜେକେ କାଗଜକଳ ନେଉଥିଲା। ଏବେ କିନ୍ତୁ ନେଉନଥିବାରୁ ମୁନିଗୁଡାରେ ଥିବା ବନ ବିଭାଗର କର୍ପୋରେସନ୍ ଦ୍ବାରା ବିକ୍ରି କରାଯାଉଛି।