ତିନି ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱରର ବମିଖାଲ ଅଞ୍ଚଳ ସିଲ୍

ଭୁବନେଶ୍ୱର: ଗୋଟିଏ ଦିନରେ ତିନିଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବମିଖାଲ ଅଞ୍ଚଳକୁ ଆଜି ରାତିଠାରୁ ସିଲ କରିଦେଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ସୂଚନା ଅନୁସାରେ ଏକାମ୍ର ସିନେମା ହଲ ଠାରୁ ଝାରପଡ଼ା ଜେଲ ରୋଡ୍ ଓ ଝାରପଡ଼ା କେନାଲ ରୋଡ଼ ଠାରୁ ଝାରପଡ଼ା ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ସିଲ ହୋଇଛି । ସେହିପରି ଝାରପଡ଼ା ଦୁର୍ଗା ମଣ୍ଡପ ଠାରୁ କଟକ-ପୁରୀ ରୋଡର ଡିସିବି ବ୍ୟାଙ୍କ ଛକ ଓ ଡିସିବି ବ୍ୟାଙ୍କ ଛକ ଠାରୁ ଏକାମ୍ର ହଲ୍ ନିକଟ କାଫେ କଫି ଡେ ପର୍ଯ୍ୟନ୍ତ ସିଲ ହୋଇଛି ।

ବମିଖାଲ ଅଞ୍ଚଳ ସିଲ ହେବା ପରେ ସେଠାରେ ଥିବା ସବୁ କାର୍ଯ୍ୟାଳୟ ଓ ଦୋକାନ ବନ୍ଦ ରହିବ । ତେଣୁ ସରକାର ଏସବୁ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାକୁ ପ୍ରସ୍ତୁତି କରିଛନ୍ତି । ଏହି ଅଂଚଳର କୌଣସି ବ୍ୟକ୍ତିଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଜରୁରୀ ସାମଗ୍ରୀ ଯୋଗାଇବା ପାଇଁ ୨ ଜଣ ଅଧିକାରୀ (ଭବାନୀ ପ୍ରସାଦ ମିଶ୍ର, ମୋବାଇଲ ନମ୍ବର ୯୪୩୭୨୫୮୬୧୧ ଏବଂ କମଲଜିତ ଦାସ, ମୋବାଇଲ ନମ୍ବର ୯୪୩୯୪୩୧୬୭୨) ଓ ଜଣେ ଡାକ୍ତର (ଜିସି ପତି, ମୋବାଇଲ ନମ୍ବର ୮୬୩୭୨୮୮୫୨୮)ଙ୍କୁ ଦାୟିତ୍ୱ ଦିଆଯାଇଛି।

ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱରର ବମିଖାଲ ଅଞ୍ଚଳରୁ ଆଜି ତିନି ଜଣ ବ୍ୟକ୍ତି କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଥିଲେ । ଭଦ୍ରକ ପୌରପାଳିକା ଅଞ୍ଚଳ ଓ କଟକ ମହାନଗର ନିଗମ ଅଞ୍ଚଳ ସମେତ ବିଏମସି ଓ ଏହାର ଉପକଣ୍ଠ ଅଞ୍ଚଳରେ ଥିବା ୧୪ଟି ପଂଚାୟତକୁ ସଟ୍‌ଡାଉନ୍ ଘୋଷଣା କରିଥିଲେ ।

ପୂର୍ବରୁ ପ୍ରଶାସନ ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳ (ସୂର୍ଯ୍ୟନଗର) ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ କରି ଦେଇଛି । ଗୋବବନ୍ଧୁ ଛକ, ଗଙ୍ଗନଗର ଠାରୁ ଶିରିପୁର ରାସ୍ତାକୁ ସିଲ କରି ଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ଅଞ୍ଚଳରେ ବ୍ୟାରିକେଡ ଲଗାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର