ବମିଖାଲ ଓଭରବ୍ରିଜ୍‌ କାମ ଆରମ୍ଭ ହେବ

ଭୁବନେଶ୍ୱର : ଆସନ୍ତା ସୋମବାର ଦିନଠାରୁ ବନ୍ଦ ଥିବା ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍‌ର ନିର୍ମାଣ ପୁଣି ଆରମ୍ଭ ହେବ। ପଣ୍ଡା ଇନ୍‌ଫ୍ରା କମ୍ପାନିକୁ ଏହି ନିର୍ମାଣ କାର୍ଯ୍ୟରୁ ହଟାଯିବା ପରେ ଖୋଦ୍‌ ପୂର୍ତ୍ତ ବିଭାଗ ଏହାର ବାକି କାମ ହାତକୁ ନେଇଛି।

ସୂଚନାନୁସାରେ ବିଭାଗ ପକ୍ଷରୁ ବାକି ଥିବା ଓଭରବ୍ରିଜ୍‌ ପ୍ରକଳ୍ପ ନିର୍ମାଣ କାମକୁ ଭାଗ ଭାଗ କରି ଟେଣ୍ଡର କରାଯାଇଛି। ପାଞ୍ଚଲକ୍ଷ ଟଙ୍କାରୁ କମ୍‌ କାମ ନିମନ୍ତେ ସର୍ଟ ଟେଣ୍ଡର ଅନୁମୋଦନ ନିର୍ବାହୀ ଯନ୍ତ୍ରୀ ସ୍ତରରେ ହୋଇପାରିବ। ଫଳରେ ଟେଣ୍ଡରଗୁଡ଼ିକ ଅବିଳମ୍ବେ ଖୋଲାଯାଇ କ୍ଷୁଦ୍ର ଠିକାଦାରମାନଙ୍କୁ କାର୍ଯ୍ୟଗୁଡ଼ିକ ବଣ୍ଟନ କରିହେବ। ଆସନ୍ତା ଶନିବାର ସୁଦ୍ଧା ଟେଣ୍ଡର ଖୋଲାଯାଇ ସୋମବାରଠାରୁ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବିଭାଗୀୟ ସଚିବ ନଳିନୀକାନ୍ତ ପ୍ରଧାନଙ୍କ କହିବାନୁସାରେ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ପ୍ରାୟ ୪/୫ କୋଟିର ଆପ୍ରୋଚ୍‌ ରାସ୍ତା ସମେତ ଅନ୍ୟାନ୍ୟ କାର୍ଯ୍ୟ ବାକି ରହିଛି। ଏଥିପାଇଁ ଅତି ବେଶିରେ ଦୁଇମାସ ଲାଗିବ ବୋଲି ସେ କହିଥିଲେ। ରାଜଧାନୀର ବ୍ୟସ୍ତବହୁଳ କଟକ ରୋଡ୍‌ରେ ଥିବା ଏହି ଓଭରବ୍ରିଜ୍‌ ଚାଲୁ ନ ହେବା ଫଳରେ ଲୋକେ ନାନା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର