ପୁରୀରେ ୧୧୦୦୦ ଫୁଟ ତଳେ ଉଡି ପାରିବନି ବିମାନ-ହେଲିକପ୍ଟର !

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ରାଜ୍ୟ ପୁଲିସ ଅଣ୍ଟା ଭିଡ଼ିଛି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଲୋ ଫ୍ଲାଇଂ ବାରଣ ପାଇଁ ଏଟିସିକୁ କୁହାଯାଇଛି। ଏହି ଆଧାରରେ ପୁରୀରେ ୧୧୦୦୦ ଫୁଟ ତଳେ ବିମାନ କିମ୍ବା ହେଲିକପ୍ଟର ନ ଉଡିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ରଥଯାତ୍ରା ସଂପର୍କିତ ସମୀକ୍ଷା ବୈଠକ ପରେ ପୁଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ବୁଧବାର ଏହି ସୂଚନା ଦେଇଛନ୍ତି।

ଡ. ଶର୍ମା କହିଛନ୍ତି, ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ୨ କଂପାନି ରାପିଡ୍‌ ଆକ୍ସନ ଫୋର୍ସ ଦେବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ହାଇଦ୍ରାବାଦ୍‌ ହବ୍‌ରେ ପ୍ରସ୍ତୁତ ରହିବାକୁ ଏନ୍‌ଏସ୍‌ଜିକୁ କୁହାଯାଇଛି। ତଟ ସୁରକ୍ଷା ପାଇଁ ନୌବାହିନୀ ଓ କୋଷ୍ଟଗାର୍ଡକୁ ଦାୟିତ୍ୱ ଦିଆଯାଇଛି ବୋଲି ଶର୍ମା ସୂଚନା ଦେଇଛନ୍ତି। ଜଳ ପଥରେ କୌଣସି ସଦିଗ୍ଧ ପ୍ରବେଶ ନ କରେ ସେଥିପାଇଁ ତଟରକ୍ଷୀ ବାହିନୀ ସତର୍କ ରହିବେ।

ଶର୍ମା କହିଛନ୍ତି, ବାତ୍ୟା ଫନି ଯୋଗୁଁ ବହୁ ସ୍ଥାନରେ ସିସିଟିଭି ଭାଙ୍ଗିଯାଇଛି। ରଥଯାତ୍ରା ପୂର୍ବରୁ ସେଗୁଡ଼ିକର ମରାମତି ଅଥବା ନୂତନ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଉଛି। ବୈଠକରେ ଏନ୍‌ଡିଆରଏଫ, ଏସ୍‌ଆଇବି, ସିଆରପିଏଫ, ନୌସେନାର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର