ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱା‌ର ମନା ପ୍ରସଂଗ : ଜିଲ୍ଲାପାଳଙ୍କ ବିଜ୍ଞପ୍ତିକୁ ହାଇକୋର୍ଟରେ ଚାଲେଞ୍ଜ

ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ସ୍ୱର୍ଗଦ୍ୱା‌ର ଖୋଲିବାକୁ ଦାବି

କଟକ : ବାହାର ରାଜ୍ୟ ଓ ଜିଲ୍ଲାର ଲୋକଙ୍କ ପାଇଁ ପୁରୀ ସ୍ୱର୍ଗଦ୍ୱା‌ରରେ ଶବ ସତ୍କାର ଉପରେ ଜାରି କରାଯାଇଥିବା କଟକଣାକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି।

କଟକ ନେତାଜୀନଗରର ସଂଜୀବ କୁମାର ଚିନ୍ନାରାଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଜୁଲାଇ ୭ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ନିୟମାବଳୀର ଉଲ୍ଲଂଘନ କରି ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ବର୍ଗଦ୍ବାରରେ ଶବ ସତ୍କାର ସଂପର୍କିତ କଟକଣା ବିଜ୍ଞପ୍ତି ଜାରି କରାଯାଇଛି। କୋଭିଡ-୧୯କୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଜାରି କରିଥିବା ନିୟମାବଳୀକୁ ଆଧାର କରି ଜିଲ୍ଲାପାଳ କୌଣସି ନିର୍ଦ୍ଦେଶନାମା ପ୍ରଦାନ କରିପାରିବେ। ଶବ ସତ୍କାର ପ୍ରସଂଗରେ ପୂର୍ବରୁ ନିୟମାବଳୀରେ ଉଲ୍ଲେଖ କରାଯାଇଥିବାବେଳେ ସ୍ବର୍ଗଦ୍ବାରରେ ଶବ ସତ୍କାର ପ୍ରସଂଗରେ କଟକଣା ଜାରି କରାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସ୍ବର୍ଗଦ୍ବାରରେ ଶବ ସତ୍କାର ହେଲେ ମୁକ୍ତି ମିଳେ ବୋଲି ହିନ୍ଦୁମାନଙ୍କ ବିଶ୍ବାସ ରହିଛି। ଏପରି ଧର୍ମ ବିଶ୍ବାସକୁ ନେଇ ସବୁ ହିନ୍ଦୁମାନେ ଚାଲୁଥିବାବେଳେ ବହୁ ଲୋକ ଆତ୍ମୀୟଙ୍କ ଅନ୍ତିମ ଇଚ୍ଛା ପୂରଣ ପାଇଁ ଶବ ନେଇ ପୁରୀ ସ୍ବର୍ଗଦ୍ବାରକୁ ସଂସ୍କାର ପାଇଁ ପହଞ୍ଚିଥା’ନ୍ତି। ପୁରୀ ଜିଲ୍ଲା ବାହାର ଶବ ବୋଲି ସ୍ବର୍ଗଦ୍ବାରରେ ସଂସ୍କାର ପାଇଁ ଅନୁମତି ନ ଦେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏପରି କଟକଣା ସଂପର୍କିତ ବିଜ୍ଞପ୍ତି ସମ୍ବିଧାନର ଧାରା ୧୫ର ଉଲ୍ଲଂଘନ କରୁଛି। ଆଇନର ବିରୁଦ୍ଧାଚରଣ କରୁଥିବା ଏପରି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଂଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ସ୍ୱର୍ଗଦ୍ୱା‌ର ଖୋଲିବାକୁ ଦାବି
ସ୍ୱର୍ଗଦ୍ୱା‌ରରେ ବାହାର ଜିଲ୍ଲାର ଶବଦାହ କରିବାକୁ ନିଷେଧ କରାଯିବା ସ˚ପୂର୍ଣ୍ଣ ଭାବେ ମାନବିକ ଅଧିକାରକୁ ଉଲ୍ଲଂଘନ କରୁଥିବା ଆସ୍ଥା ଫାଉଣ୍ତେସନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ଏହି ନିର୍ଦ୍ଦେଶ ଉପରେ ହସ୍ତକ୍ଷେପ କରିବାକୁ ଫାଉଣ୍ତେସନ୍‌ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୁରୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇଥିବାରୁ ସ୍ବର୍ଗଦ୍ବାରରେ ଶବସତ୍କାର ପାଇଁ ଅନେକ ଶ୍ରଦ୍ଧାଳୁ ମାନସିକ କରିଥାନ୍ତି। ଏବେ ରାଜ୍ୟ ସରକାର ଶବ ସତ୍କାର ବେଳେ ୨୦ଜଣ ଲୋକଙ୍କୁ ନେଇ ଯାଇହେବ ବୋଲି ଅନୁମତି ଦେଇଛନ୍ତି। ଯାହଫଳରେ ସେମାନେ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମାସ୍କ ଲଗାଇ ଶବଦାହ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ ବୋଲି ଫାଉଣ୍ତେସନ୍‌ ପକ୍ଷରୁ କୁହାଯାଇଛି। ତେଣୁ ଜିଲ୍ଲାପାଳଙ୍କୁ ଉପରୋକ୍ତ ଆଦେଶ ଉପରେ ହସ୍ତକ୍ଷେପ କରି ଶବସତ୍କାର ପାଇଁ ଅନ୍ୟ ଜିଲ୍ଲାବାସୀଙ୍କୁ ଅନୁମତି ପ୍ରଦାନ କରିବାକୁ ଫାଉଣ୍ତେସନ୍‌ର ମନୋଜ ବସନ୍ତରାୟ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର