ଭୁବନେଶ୍ବର: ଓଡ଼ିଶାର ଦୁଇଟି ବ୍ୟାଘ୍ର ପ୍ରକଳ୍ପ ସମେତ ଗୋଟିଏ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟରେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍ ଓ ପ୍ଲାଷ୍ଟିକ୍ ଉପରେ କଟକଣା ଲଗାଯାଇଛି। ଯଦି କୌଣସି ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ ନେଇ ଧରାପଡ଼ନ୍ତି, ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ଜରିମାନା କରାଯିବ। ଏପ୍ରିଲ ପହିଲାରୁ ରାଜ୍ୟର ସମସ୍ତ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ପ୍ରକଳ୍ପରେ ଏହି ନିୟମ ଲାଗୁ ହେବ ବୋଲି ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟର ସମସ୍ତ ଆରସିସିଏଫ୍, ଡିଏଫ୍ଓ ଓ ଶିମିଳିପାଳ ବ୍ୟାଘ୍ର ଅଭ୍ୟୟାରଣ୍ୟ(ଉତ୍ତର/ଦକ୍ଷିଣ) ଓ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କୁ କୁହାଯାଇଛି।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍ ଓ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର ଦ୍ବାରା ପରିବେଶ ଉପରେ କୁପ୍ରଭାବ ପଡ଼ୁଛି। ବନ୍ୟଜନ୍ତୁଗୁଡ଼ିକ ସେହି ସାମଗ୍ରୀ ଖାଇବା ଦ୍ବାରା ରୋଗା ଗ୍ରସ୍ତ ହେଉଛନ୍ତି। ତେଣୁ ଏପ୍ରିଲ୍ ପହିଲାରୁ ସଂରକ୍ଷିତ ଅଞ୍ଚଳ ସମେତ ଇକୋ-ଟୁର ସ୍ଥଳରେ କଟକଣା ଲାଗୁ କରାଯିବ। ଅଭୟାରଣ୍ୟ ପ୍ରବେଶ ପଥରେ ଚେକିଂ ବେଳେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍ ଓ ପ୍ଲାଷ୍ଟିକ୍ ନେବା ପାଇଁ ଅନୁମତି ଦିଆଯିବ ନାହିଁ। ଯଦି କୌଣସି ପର୍ଯ୍ୟଟକ ଅଜାଣତରେ ସାଙ୍ଗରେ ପ୍ଲାଷ୍ଟିକ୍ ପାଣି ବୋତଲ ନେଇଥିବେ ତାହାହେଲେ ପ୍ରବେଶ ପଥରେ ସେମାନଙ୍କ ବୋତଲ ଉପରେ ଗୋଟିଏ ଷ୍ଟିକର ମରାଯିବ। ଏଥିସହ ବୋତଲ ପିଛା ସେମାନଙ୍କଠାରୁ ୨୦୦ ଟଙ୍କା ଲେଖାଏ ରଖାଯିବ। ଫେରିବା ସମୟରେ ପର୍ଯ୍ୟଟକମାନେ ସେହି ବୋତଲ ଦେଲେ, ସେମାନଙ୍କଠାରୁ ନିଆଯାଇଥିବା ୨୦୦ ଟଙ୍କା ଫେରସ୍ତ କରାଯିବ।
ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଭିତରେ ପର୍ଯ୍ୟାପ୍ତ ପରିମାଣରେ ପାଣିର ବ୍ୟବସ୍ଥା ହେବ। ଖାଇବା ପାଇଁ ପର୍ଯ୍ୟଟକମାନେ ପ୍ଲାଷ୍ଟିକ୍ ବା ଷ୍ଟାଇରୋଫୋମ୍ ପ୍ଲେଟ୍ ନେଇପାରିବେ ନାହିଁ। ତା’ ବଦଳରେ ଅଭୟାରଣ୍ୟ ପ୍ରବେଶ ପଥରେ ସେମାନଙ୍କୁ ଖଲି ପତର ଓ କାଗଜ ଠୁଙ୍ଗା ଯୋଗାଇ ଦିଆଯିବ। ଯଦି କେହି ଏହି ନିୟମ ଅମାନ୍ୟ କରନ୍ତି ବା କୌଣସି ପର୍ଯ୍ୟଟକ ଲୁଚାଇ ଛପାଇ ପଲିଥିନ୍ ଓ ପ୍ଲାଷ୍ଟିକ୍ ନେଇ ଧରାପଡ଼ନ୍ତି, ତାହା ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏସ୍ଏଚ୍ଜି ଓ ଇଡିସିମାନଙ୍କ ସହଯୋଗରେ ପ୍ରବେଶ ପଥରେ ପର୍ଯ୍ୟାପ୍ତ ପରିମାଣରେ ବିକଳ୍ପ ବ୍ୟବସ୍ଥା ଉପଲବ୍ଧ କରାଯିବ। ଅଭୟାରଣ୍ୟ ଭିତରେ ଥିବା ଗ୍ରାମବାସୀଙ୍କୁ ପଲିଥିନ୍ ଓ ପ୍ଲାଷ୍ଟିକ ବ୍ୟବହାରର କୁପରିଣାମ ସମ୍ପର୍କରେ ଅବଗତ କରାଯିବା ସହ ବ୍ୟବହାର ନ କରିବାକୁ ସଚେତନ କରାଯିବ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ଶ୍ରୀ ନନ୍ଦ ନିର୍ଦ୍ଦେଶ ଦେଇଛନ୍ତି।