ନିଷେଧ ହେଲା ପ୍ଲାଷ୍ଟିକ, ଏଣିକି ଠୁଙ୍ଗା ଓ କପଡ଼ା ବ୍ୟାଗ୍

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ପୁରୀରେ ପ୍ଲାଷ୍ଟିକ ଓ ପଲିଥିନ୍ ନିଷେଧ ହୋଇଛି। ୫୦ମାଇକ୍ରନରୁ ଅଧିକ ପଲିଥିନ୍ ହିଁ କିଛି ସ୍ଥାନରେ ବ୍ୟବହାର ହୋଇପାରିବ ବୋଲି ନିୟମ ହୋଇଛି। ତାହା ପୁଣି କେତେକ ଜରୁରୀକାଳୀନ କ୍ଷେତ୍ରରେ। ଆଜିଠାରୁ ପଲିଥିନ୍ ଓ ପ୍ଲାଷ୍ଟିକ ନିଷେଧ ହୋଇଥି‌େଲ ହେଁ ବ୍ୟବସାୟୀଙ୍କ ନିକଟରେ ପଲିଥିନ୍ ମହଜୁଦ୍ ଥିବାରୁ ସେମାନେ ଏଥିରେ ଲୋକଙ୍କୁ ସାମଗ୍ରୀ ବିକୁଥିବା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଲୋକମାନେ ଘରୁ କପଡ଼ା ବ୍ୟାଗ୍ ଆଣି ଜିନିଷ ନେଉଥିବା ବେଳେ ଅ‌ାଉ କିଛି ସ୍ଥାନରେ ଜରି ଓ ପ୍ଲାଷ୍ଟିକ ବ୍ୟାଗରେ ବି ଲୋକ ମାର୍କେଟିଂ କରୁଥିବା ଦେଖିବାକୁ ମିଳିଛି। ପଲିଥିନ୍ ନିଷେଧ ହୋଇଥିବା ସହରଗୁଡ଼ିକରେ କେତେକ ବ୍ୟବସାୟୀ ଠୁଙ୍ଗାରେ ଖାଦ୍ୟ ସାମଗ୍ରୀ ଦେଉଥିବା ବେଳେ ‌େକତେକ ଶାଳ ପତ୍ରରେ ଜିନିଷ ପ୍ୟାକିଂ କରି ଦେଉଛନ୍ତି। ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ବ୍ୟବସାୟୀମାନଙ୍କୁ ମହଜୁଦ୍ ଥିବା ପଲିଥିନ୍ ସାମଗ୍ରୀ ବିକ୍ରି କରିବାକୁ ସମୟ ଦିଆଯାଇଥିବାରୁ ଏହା ପରେ ହିଁ ବଜାରରେ ପ୍ଲାଷ୍ଟିକ ଓ ପଲିଥିନ୍ ନିଷେଧର ପ୍ରଭାବ ଦେଖିବାକୁ ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବ୍ୟବସାୟୀ ଓ ଗ୍ରାହକମାନେ ଯେପରି ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନକରିବେ ସେଥିପାଇଁ ବିଭିନ୍ନ ସହରରେ ପ୍ରଶାସନ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଆଜିଠାରୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେଉଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କେତେକ ସ୍ଥାନରେ ଚଢ଼ଉ କରି ପଲିଥିନ୍ ଫ୍ୟାକ୍ଟ୍ରି ବନ୍ଦ କରାଯାଇଛି। ସରକାରଙ୍କ ନିୟମ ଅନୁଯାୟୀ ଉତ୍ପାଦନ ନକଲେ ଏହି ଫ୍ୟାକ୍ଟ୍ରିଗୁଡ଼ିକୁ ସିଲ୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି। କେଉଁ ‌େକଉଁ କ୍ଷେତ୍ରରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ହେବ ଓ କେଉଁଠି ହେବନି ତାହାର ତାଲିକା ମଧ୍ୟ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଜାରି ହୋଇଛି।

ସମ୍ବନ୍ଧିତ ଖବର