ପୁରୀ : ଶ୍ରୀମନ୍ଦିରରେ ଶନିବାର ବନବାସ ଓ କନ୍ଦର୍ପାଧିବାସ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ପ୍ରଭୁ ରାମ-ଲକ୍ଷ୍ମଣ ସୁସଜ୍ଜିତ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରି ଜଗନ୍ନାଥ ବଲ୍ଲଭକୁ ବିଜେ କରିଥିଲେ। ଜଗନ୍ନାଥ ବଲ୍ଲଭରେ ନୀତିକାନ୍ତି ଶେଷ ପରେ ପ୍ରଭୁ ରାମ-ଲକ୍ଷ୍ମଣ ପୁନର୍ବାର ଶ୍ରୀମନ୍ଦିରକୁ ଫେରିଛନ୍ତି।
ଶନିବାର ସନ୍ଧ୍ୟାଧୂପ ପୂଜା ଶେଷ ପରେ ସନ୍ଧ୍ୟା ୬ଟା ୪୫ରେ ରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ୬ଟା ୫୫ରେ ପାଲିଙ୍କିରେ ବିଜେ ହୋଇ ଜଗନ୍ନାଥ ବଲ୍ଲଭକୁ ଯାତ୍ରା କରିଥିଲେ। ସେଠାରେ ବନବାସ ଓ କନ୍ଦର୍ପାଧିବାସ ନୀତି ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସାହିଯାତର ଚତୁର୍ଥ ସନ୍ଧ୍ୟାରେ ମାର୍କଣ୍ଡେଶ୍ବର ସାହି ଭାଗବତ କୋଟ ଆଖଡ଼ା ପକ୍ଷରୁ ନିରାଡ଼ମ୍ବର ପରିବେଶ ଭିତରେ ବିଭିନ୍ନ ବେଶଧାରୀମାନେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ପରେ ଜଗନ୍ନାଥ ବଲ୍ଲଭକୁ ଯାଇଥିଲେ। ସେଠାରେ ଠାକୁରଙ୍କ ବାହୁଡ଼ା ବିଜେ ପରେ ବେଶଧାରୀମାନେ ଫେରିଥିଲେ। ଭାଗବତ କୋଟ ଆଖଡ଼ା ପକ୍ଷରୁ ରାମ, ଲକ୍ଷ୍ମଣ, ବାଲ୍ମୀକି, ଡଗର ବେଶ ପରିବେଷଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/rp.jpg)