ପୁରୀ : ସୋମବାର ଦିନ ଭାଦ୍ରବ କୃଷ୍ଣପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ନୀତି ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜିଉ ସୋମବାର ଦିନ ବନଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହାସହ କୋଳିବିକା, ବକାସୁର ଓ ଅର୍ଘାସୁର ବଧ ନୀତି ବି ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନ ଧୂପ ପରେ ଏହି ନୀତି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ଧୂପ ବେଶରେ ଦୁଇଟି ଆଜ୍ଞାମାଳ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଲାଗି କରାଯାଇଥିଲା। ମଧ୍ୟାହ୍ନ ଧୂପ ପରେ ଭିତରେ ପାଣି ପଡ଼ି ଦକ୍ଷିଣି ଘର ଭୋଗ ଅନୁଷ୍ଠିତ ହୋଇଥିଲା। ଭୋଗ ସରିବା ପରେ ମହାଜନ ସେବକ ଦକ୍ଷିଣ ଘରୁ ପ୍ରଭୁ ଶ୍ରୀରାମ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆଣି ସିଂହାସନରେ ବିଜେ କରାଇଥିଲେ। ଶ୍ରୀବଳଭଦ୍ରଙ୍କ ଆଜ୍ଞାମାଳ ଶ୍ରୀରାମଙ୍କୁ ଓ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀକୃଷ୍ଣଙ୍କୁ ଦେବା ପରେ ମହାଜନେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ବଟଦ୍ବାରଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ବିମାନବଡ଼ୁ ସେବକମାନେ ଘଣ୍ଟ, ଛତା, କାହାଳୀ ସହ ପାଲିଙ୍କିରେ ନେଇ ବଡ଼ଛତା ମଠ ନିକଟରେ ଥିବା କାଠ ସିଂହାସନରେ ଦିଅଁକୁ ବିଜେ କରାଇଥିଲେ। ଏଠାରେ କୋଳିବିକା ନୀତି ଅନୁଷ୍ଠିତ ହୋଇଥିଲା।

Advertisment

ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ହୋଇ ଯିବା ପରେ ପୁଷ୍ପାଳକ ସେବକମାନେ ସଂଧ୍ୟାଧୂପ ବେଶରେ ଶ୍ରୀଜିଉଙ୍କୁ ବନଭୋଜି ବେଶ କରାଇଥିଲେ। ଏହି ବେଶରେ ଠାକୁରମାନେ ଶ୍ରୀହସ୍ତରେ ଶିକା ସହ ରୁପା ପିଙ୍ଗଣରେ ସର ଧରନ୍ତି ଓ ଅନ୍ୟ ହସ୍ତରେ ଦଉଡ଼ି ଧରନ୍ତି। ଏହି ଅବସରରେ ଗଜପତିଙ୍କ ସୁପରିଟେଣ୍ଡେଣ୍ଟ ଓ ପାଟ୍ଟଯୋଶୀ ମହାପାତ୍ର ଦେଇଥିବା ପେଡ଼ାମାଳି ଲାଗି ହୋଇଥିଲା। ଗଜପତିଙ୍କ ସୁପରିଟେଣ୍ଡେଣ୍ଟ ଦୁଇବାଡ଼ଙ୍କ ଶିକା-ସର ଯୋଗାଇ ଦେଇଥିଲେ। ମା’ ସୁଭଦ୍ରାଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ମଠରୁ ଶିକା-ସର ଯୋଗାଇ ଦିଆଯାଇଥିଲା। ଏହି ବେଶ ପରେ ସନ୍ଧ୍ୟା ଅଳତି ନୀତି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଖେଇକୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏଥିପାଇଁ ସନ୍ଧ୍ୟାଧୂପ ନୀତି ଦୁଇଘଣ୍ଟା ବିଳମ୍ବ ହୋଇଥିଲା। ତେଣୁ ପରବର୍ତ୍ତୀ ସମସ୍ତ ନୀତି ଦୁଇଘଣ୍ଟା ବିଳମ୍ବ ହୋଇଥିଲା।