ଶ୍ରୀମନ୍ଦିରରେ ବନଭୋଜି ନୀତି

କୋଳିବିକା ସାଙ୍ଗକୁ ବକାସୁର ଓ ଅର୍ଘାସୁର ବଧ

ପୁରୀ : ଆଜି ଭାଦ୍ରବ କୃଷ୍ଣପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ନୀତି ସହ କୋଳିବିକା, ବକାସୁର ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଆଜି ଶ୍ରୀମନ୍ଦିର ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ମଧ୍ୟାହ୍ନ ଧୂପ ପରେ ଏହି ନୀତି ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ଧୂପ ବେଶରେ ଦୁଇଖଣ୍ଡ ଆଜ୍ଞାମାଳ ବଡ଼ଠାକୁର ଓ ଶ୍ରୀଜଗନ୍ନାଥଙ୍କୁ ଲାଗି କରାଯାଇଥିଲା। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡ଼ିବା ପରେ ଦକ୍ଷିଣୀ ଘର ଭୋଗ ଅନୁଷ୍ଠିତ ହୋଇଥିଲା। ଭୋଗ ସରିବା ପରେ ମହାଜନେ ଦକ୍ଷିଣ ଘରୁ ଆଣି ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ। ବଡ଼ ଠାକୁରଙ୍କ ଆଜ୍ଞାମାଳ ରାମଙ୍କୁ ଓ ମହାପ୍ରଭୁଙ୍କ ଆଜ୍ଞାମାଳ କୃଷ୍ଣଙ୍କୁ ଦେବା ପରେ ମହାଜନେ ରାମକୃଷ୍ଣଙ୍କୁ ବଟଦ୍ବାରଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ସହ ପାଲିଙ୍କିରେ ନେଇ ବଡ଼ଛତା ମଠ ନିକଟରେ ଥିବା କାଠ ସିଂହାସନରେ ଦିଅଁକୁ ବିଜେ କରାଇଥିଲେ। ଏଠାରେ କୋଳିବିକା ନୀତି ଅନୁଷ୍ଠିତ ହୋଇଥିଲା। ରାମକୃଷ୍ଣ ବିଜେ ହୋଇ ଯିବା ପରେ ପଶୁପାଳକମାନେ ତିନି ବାଡ଼ରେ ସଂଧ୍ୟାଧୂପ ବେଶରେ ବନଭୋଜି ବେଶ କରାଇଥିଲେ। ଏହି ବେଶରେ ଠାକୁରମାନେ ଶ୍ରୀହସ୍ତରେ ଶିକାରେ ରୁପା ପିଙ୍ଗଣରେ ସର ଧରନ୍ତି ଓ ଅନ୍ୟ ହସ୍ତରେ ଦଉଡ଼ି ଧରନ୍ତି।

mde

ଏହି ଅବସରରେ ଗଜପତିଙ୍କ ସୁପରିଟେଣ୍ଡେଣ୍ଟ ଓ ପାଟ୍ଟଯୋଶୀ ମହାପାତ୍ର ଦେଇଥିବା ପେଡ଼ାମାଳି ଲାଗି ହୋଇଥିଲା। ଗଜପତିଙ୍କ ସୁପରିଟେଣ୍ଡେଣ୍ଟ ଦୁଇବାଡ଼ଙ୍କ ଶିକା ସର ଯୋଗାଇ ଦେଇଥିଲେ। ମାଝିବାଡ଼ଙ୍କ ପାଇଁ ଜଗନ୍ନାଥବଲ୍ଲଭ ମଠରୁ ଶିକା ସର ଯୋଗାଇ ଦିଆଯାଇଥିଲା। ଏହି ବେଶ ପରେ ପାଣି ପଡ଼ି ସଂଧ୍ୟାଧୂପ ପୂଜା ବସିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ଠାକୁର ଜଗମୋହନରେ ବିଜେ ପରେ ବାଲିସାହି ଲୋକଙ୍କ ଦ୍ବାରା ବକାସୁର ବଧ ନୀତି ଓ ହରଚଣ୍ଡୀ ସାହି ଲୋକଙ୍କ ପକ୍ଷରୁ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ଠାକୁରଙ୍କଠାରେ ଶୀତଳଭୋଗ ସମର୍ପଣ କରାଯାଇଥିଲା। ବନ୍ଦାପନା ପରେ ଠାକୁର ପୁନର୍ବାର ଦକ୍ଷିଣ ଘରକୁ ବିଜେ କରିଥିଲେ।

ସମ୍ବନ୍ଧିତ ଖବର