ଭୁବନେଶ୍ବର: ରାଜ୍ୟର ଅଧିକାଂଶ ସ୍ଥାନରେ ଜଙ୍ଗଲ ନିଆଁ କମିଛି। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ସେତେଟା ବନାଗ୍ନି ନଜରକୁ ଆସି ନ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାର ଜଙ୍ଗଲଗୁଡ଼ିକ ଏବେ ବି ଜଳୁଛି। ରବିବାର ଅପରାହ୍ଣ ସାଢ଼େ ଗୋଟାଏ ତଥ୍ୟ ଅନୁଯାୟୀ, ଓଡ଼ିଶାର ୨୮୪ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବା ସହ ଜଙ୍ଗଲ ନିଆଁ ଦିନକୁ ଦିନ ବଢ଼ିବାରେ ଲାଗିଛି। କୋରାପୁଟ, ଭାବନୀପାଟଣା ଓ ବ୍ରହ୍ମପୁର ସର୍କଲ ଅଧୀନରେ ୨୫୬ଟି ସ୍ଥାନରେ ବନାଗ୍ନି ଚିହ୍ନଟ କରାଯାଇଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ବନାଗ୍ନି ସୃଷ୍ଟି ହେବା ଚିନ୍ତାର କାରଣ ପାଲଟିଛି। ଦୁଇ ମାସ ହେଲା ଏହି ଅଞ୍ଚଳରେ ବନାଗ୍ନିକୁ ଯେତେ ନିୟନ୍ତ୍ରଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବାରମ୍ବାର ଜଙ୍ଗଲ ଜଳୁଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଜିଲ୍ଲାରେ ଥିବା ପ୍ରମୁଖ ଜଙ୍ଗଲରେ ନିଆଁ ଲାଗିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ରାଉରକେଲା ସର୍କଲର ୨୦ରୁ ଅଧିକ ସ୍ଥାନ ସମେତ ଭୁବନେଶ୍ବର ଓ ଅନୁଗୁଳ ସର୍କଲର କିଛି ସ୍ଥାନରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି।
ଦେଶର ୩୬୧ଟି ସ୍ଥାନରେ ଆଜି ବଡ଼ଧରଣର ବନାଗ୍ନି ସାମ୍ନାକୁ ଆସିଛି। ଛତିଶଗଡ଼ରେ ୫୮ଟି ଥିବା ବେଳେ ଆନ୍ଧ୍ରପ୍ରଦେଶରେ ୫୪, ନାଗାଲାଣ୍ଡରେ ୪୫, ତେଲେଙ୍ଗାନାରେ ୩୩, ଉତ୍ତରାଖଣ୍ଡରେ ୨୭, ଆସାମରେ ୨୬, ମେଘାଳୟ ଓ ମଧ୍ୟପ୍ରଦେଶରେ ୨୫ଟି ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ଗତ ୭ଦିନ ମଧ୍ୟରେ ଛତିଶଗଡ଼ରେ ସର୍ବାଧିକ ୩,୪୦୩ ସ୍ଥାନରେ ନିଆଁ ଲାଗିଛି। ଆନ୍ଧ୍ର ପ୍ରଦେଶର ୩,୧୬୨, ମଧ୍ୟପ୍ରଦେଶର ୩,୧୪୦, ମହାରାଷ୍ଟ୍ରର ୨,୭୫୪ ଓ ଓଡ଼ିଶାର ୨,୭୫୭ଟି ସ୍ଥାନରେ ବଡ଼ଧରଣର ନିଆଁ ଲାଗିଛି। ଓଡ଼ିଶାରେ ବନାଗ୍ନିଗୁଡ଼ିକ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଏବେ ସୁଦ୍ଧା ପ୍ରାୟ ୮୫% ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇପାରିଛି। ଶନିବାର ଉତ୍ତର ଓଡ଼ିଶାର କେତେକ ଜଙ୍ଗଲରେ ନିଆଁ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ଆଜି ନିୟନ୍ତ୍ରଣ ଭିତରକୁ ଆସିଛି। ମାର୍ଚ୍ଚରେ ଦେଶରେ ୫୮ହଜାର ୮୦୦ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ବେଳେ ଏପ୍ରିଲରେ ଏବେ ସୁଦ୍ଧା ୨୨ହଜାର ୬୦୦ଟି ସ୍ଥାନରେ ନିଆଁର ପ୍ରକୋପ ଦେଖିବାକୁ ମିଳିଛି।