କୋରାପୁଟ: ପୂର୍ବ ବର୍ଷ ଗୁଡ଼ିକରେ ବିଳମ୍ବିତ ପଦକ୍ଷେପ ଯୋଗୁଁ ହୋଇଥିବା କ୍ଷତିରୁ କିଛି ଶିଖିଲେନି। ଏଥର ଆଗୁଆ ପ୍ରସ୍ତୁତିର ମଧ୍ୟ କୌଣସି ଫରକ ପଡ଼ିଲାନି। ହୁତ୍‌ହୁତ୍‌ ହୋଇ ଜଳୁଛି ହେକ୍ଟର ହେକ୍ଟର ଜଙ୍ଗଲ। ଗତ ଦେଢ଼ ମାସରେ କେବଳ କୋରାପୁଟ ଜିଲ୍ଲାର ୧୪୨ଟି ସ୍ଥାନରେ ନିଆଁ ଲାଗି ସାରିଲାଣି। ପ୍ରାୟ ୬୭ହେକ୍ଟର ଜଙ୍ଗଲକୁ ଗିଳି ସାରିଲାଣି ନିଆଁ। ସେହିପରି କୋରାପୁଟ ସର୍କଲ (‌ଅବିଭକ୍ତ କୋରାପୁଟ) ଅନ୍ତର୍ଗତ ୪୬୩ଟି ସ୍ଥାନରେ ନିଆଁ ଲାଗି ସାରିଥିବା ସୂଚନା ମିଳିଛି। ଯାହାର ସିଧାସଳଖ ପ୍ରଭାବ ଆଗାମୀ ଗ୍ରୀଷ୍ମ ଋତୁରେ ଦେଖିବାକୁ ମିଳିବ। ପୂର୍ବବର୍ଷ ଅପେକ୍ଷା ଅଧିକ ଗରମ ହେବା ନିଶ୍ଚିତ ବୋଲି ପରିବେଶବିତ୍‌ କହିଛନ୍ତି।

Advertisment

କୋରାପୁଟ ଜିଲ୍ଲାର ଜୟପୁର ଓ କୋରାପୁଟ ଡିଭିଜନରେ ସର୍ବାଧିକ ଅଞ୍ଚଳ ବନାଗ୍ନି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଜୟପୁର ଡିଭିଜନର ୭୯ଟି ସ୍ଥାନରେ ନିଆଁ ଲାଗିଛି। ସେଥି‌ରୁ ବୈପାରିଗୁଡାର ୩ଟି, ବୋରିଗୁମ୍ମର ୧୦ଟି, ଗୁପ୍ତେଶ୍ବର ଅଞ୍ଚଳର ୩୯ଟି, ଜୟପୁରର ୩ଟି, କୋଟପାଡର ୯, କୁନ୍ଦୁରାର ୧୫ଟି ସ୍ଥାନ ଏବେ ଜଳୁଛି। ସେହିପରି କୋରାପୁଟ ଡିଭିଜନ ଅନ୍ତର୍ଗତ କୋରାପୁଟର ୨ଟି, ଲମତାପୁଟର ୫ଟି, ଲକ୍ଷ୍ମୀପୁର ୨୦ଟି, ନାରାୟଣପାଟଣାର ୨୩ଟି ଓ ସେମିଳିଗୁଡାର ୧୩ଟି ସ୍ଥାନରେ ନିଆଁ ଲାଗିଛି। ମାଲକାନଗିରି ଓ ରାୟଗଡା ଡିଭିଜନ୍‌ର ଗୋଟିଏ ଲେଖାଏଁ ସ୍ଥାନ ଓ ନବରଙ୍ଗପୁର ଡିଭିଜନର ୧୮୮ଟି ସ୍ଥାନରେ ନିଆଁ ଲାଗିଛି।
୨୦୨୩ ମସିହାରେ କୋରାପୁଟ ଜିଲ୍ଲାକୁ ଗରମ କରିଥିଲା ବନାଗ୍ନି। ଗୁପ୍ତେଶ୍ବର ଅଞ୍ଚଳରେ ସର୍ବାଧିକ ଜଙ୍ଗଲ ଜାଳିଥିଲା। ନାରାୟଣପାଟଣାରୁ ବୈପାରିଗୁଡା, କୋଟପାଡରୁ ସୁଙ୍କି ପର୍ଯ୍ୟନ୍ତ ଅଞ୍ଚଳକୁ ବନାଗ୍ନି କ୍ଷତିଗ୍ରସ୍ତ କରିଥିଲା। ୨୦୭୫ରୁ ଅଧିକ ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିଲା। ୨୦୨୧ ଓ ୨୦୨୨ ତୁଳନାରେ ନିଆଁର କୋପ କମ୍‌ ଥିଲେ ମଧ୍ୟ ପ୍ରଶମିତ କରିବାକୁ ରାଜ୍ୟ ସରକାରଙ୍କୁ ଓଡ୍ରାଫ୍‌ ସହାୟତା ନେବାକୁ ପଡ଼ିଥିଲା।

ଗତବର୍ଷର ଅଭିଜ୍ଞତା ଆଧାରରେ ଚଳିତ ଗ୍ରୀଷ୍ମ ଋତୁ ପୂର୍ବରୁ ରାଜ୍ୟ ସରକାର ଆଗୁଆ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନିଆଯାଇନି। ଜଙ୍ଗଲକୁ ନିଆଁମୁକ୍ତ କରିବା, ଲୋକଙ୍କୁ ଅଧିକ ସଚେତନ କରାଇବା ଓ ସଂଶୋଧିତ ଏସ୍‌ଓପି ଲାଗୁ କରି ଜଙ୍ଗଲ ନିଆଁ ରୋକିବାକୁ ପୂର୍ବ ପ୍ରସ୍ତୁତି ସତ୍ତ୍ବେ ସୁଫଳ ମିଳିନି। ଶୀତ ଛାଡୁ ଛାଡୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଙ୍ଗଲରେ ନିଆଁ ଲାଗିଛି। ଫେବ୍ରୁଆରି ପ୍ରଥମ ସପ୍ତାହରୁ ବନାଗ୍ନି ପରିମାଣ ବଢ଼ି ଚାଲିଛି। ଯାହା ଚିନ୍ତା ବଢ଼ାଇଥିବା ବେଳେ ଆଗକୁ ନାକେଦମ କରିବ। ଭୂସ୍ବର୍ଗ ବୋଲି ଅବିଭକ୍ତ କୋରାପୁଟକୁ କୁହାଯାଉଥିବା ବେଳେ ଏହି ମାଳଭୂମି ଦିନକୁ ଦିନ ଉତ୍ତପ୍ତ ହେବାରେ ଲାଗିଛି। ଖଣି ଖନନ, ବ୍ୟାପକ ଜଙ୍ଗଲ କାଟ, ପୋଡୁ ଚାଷ ସହ ବନାଗ୍ନି ଏହି ସବୁଜ ଅଞ୍ଚଳକୁ ଛାରଖାର କରିଚାଲିଛି।