୨ବର୍ଷ ହେଲା ସିଙ୍ଗାପୁରରେ ଫସିଛନ୍ତି ବଣାଇ ପରିବାର

ରାଉରକେଲା: କରୋନା କାରଣରୁ ଅଧିକାଂଶ ଅନ୍ତର୍ଜାତୀୟ ବିମାନସେବା ବନ୍ଦ ରହିଥିବାରୁ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ବଣାଇ ଅଞ୍ଚଳର ଉପୁର୍ଦାର ଜକେଇକଳା ଗାଁ ନିବାସୀ ରବିନାରାୟଣ ମହାପାତ୍ରଙ୍କ ପୁଅ ସଙ୍କେତ ମହାପାତ୍ର ନିଜ ପରିବାର ସହ ୨ବର୍ଷ ହେଲା ସିଂଗାପୁରରେ ଫସି ରହିଛନ୍ତି। ଗାଁରେ ଥିବା ନିଜ ବୟସ୍କ ମାଆ ଓ ବାପାଙ୍କ ଅସୁସ୍ଥତା ପାଇଁ ଗତ ୨-୩ ମାସ ହେଲା ଘରକୁ ଫେରିବାର ସମସ୍ତ ଚେଷ୍ଟା କରି ସେ ବିଫଳ ହୋଇଛନ୍ତି। ତେବେ ଆଶ୍ବାସନାର ବିଷୟ ଯେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ଏହି ସୂଚନା ପାଇ ସିଙ୍ଗାପୁରରେ ଫସିଥିବା ଉକ୍ତ ଓଡିଆ ପରିବାରକୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ଉଲ୍ଲେଖନୀୟ ଯେ ସଙ୍କେତ ଦୀର୍ଘ ୭ ବର୍ଷ ହେବ ସିଙ୍ଗାପୁରରେ ରହି ଆସୁଛନ୍ତି। ସାଥିରେ ତାଙ୍କ ପତ୍ନୀ ଅନିନ୍ଦିତା‌, ଦୁଇ ଝିଅ ଶୀର୍ଷା (୬) ଓ ଶ୍ରେଷ୍ଠା (୨) ଅଛନ୍ତି। ସେଠାରେ ସେ ଏକ କମ୍ପାନିରେ ଚାକିରି କରନ୍ତି। ତେବେ କରୋନା କାରଣରୁ ଦୁଇଗତ ୨ ବର୍ଷ ହେବ ସେ ସିଙ୍ଗାପୁରରୁ ଭାରତ ଆସିପାରୁ ନାହାନ୍ତି। ନିଜର ଅସୁସ୍ଥ ବୃଦ୍ଧ ପିତା ମାତାଙ୍କ ଚିକିତ୍ସା ପାଇଁ ଭାରତ ଫେରିବାରେ ବିଫଳ ହେବାରୁ ସେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଶ୍ରୀ ପଣ୍ଡା ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସଙ୍କେତଙ୍କ ସମେତ ତାଙ୍କ ପରିବାରକୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର