ବଣାଇ ପୂର୍ବତନ ଜିଲ୍ଲା କୃଷି ଅଧିକାରୀଙ୍କୁ ୨ ବର୍ଷ ଜେଲ୍

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ  ପଡିଥିଲେ

ସୁନ୍ଦରଗଡ଼: ବଣାଇ କୃଷି ଜିଲ୍ଲାର ପୂର୍ବତନ ଜିଲ୍ଲା କୃଷି ଅଧିକାରୀ  ଦଇତ୍ଯାରୀ ଶତପଥିଙ୍କୁ ୨ ବର୍ଷ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଶନିବାର ଶ୍ରୀ ଶତପଥିଙ୍କୁ ଦୋଷୀ ସାବ୍ଯସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲା ଥିଲା ଏୟା, ୨୦୦୯ରେ ଶ୍ରୀ ଶତପଥି ବଣାଇ ଜିଲ୍ଲା କୃଷି ଅଧିକାରୀ ଥିବାବେଳେ ତାଙ୍କ ଅଧୀନରେ କୋଇଡା ଠାରେ କାର୍ଯ୍ୟରତ କନିଷ୍ଠ କୃଷି ଅଧିକାରୀ ଗୟାଧର ସାହୁଙ୍କ ୨୦ ମାସର ବକେୟା ଗୃହ ଭତ୍ତା ୫୨ ହଜାର ୯ ଶହ ଟଙ୍କା ମଞ୍ଜୁର ପାଇଁ ଆବେଦନ କରିଥିଲେ। ଏଥିପାଇଁ ଅଧିକାରୀ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଶତପଥି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗୃହ ଭତ୍ତା ଟଙ୍କା ତାଙ୍କ ପାଇଁ ଜରୁରୀ ଥିବାରୁ କନିଷ୍ଠ ଅଧିକାରୀ  ୫ ହଜାର ଟଙ୍କା ଦେଇଥିଲେ। ଏହା ସତ୍ତ୍ବେ ଜିଲ୍ଲା କୃଷି ଅଧିକାରୀ ଶତପଥି ବିଲ୍  ମଞ୍ଜୁର କରିବାକୁ ଦିନ ଗଡାଇ ନେବା ସହ ଶେଷକୁ ଆହୁରି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

କନିଷ୍ଠ ଅଧିକାରୀ ବହୁ ଅନୁନୟ ହେବା ପରେ ବି ସେ କିଛି ଶୁଣି ନଥିଲେ। ଶେଷକୁ  ଶ୍ରୀ ଶତପଥି ୩ ହଜାର ଦେଲେ ବିଲ୍ ମଞ୍ଜୁର କରିବେ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଅନ୍ଯ ଉପାୟ ନ ପାଇ କନିଷ୍ଠ ଅଧିକାରୀ ସୁନ୍ଦରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅଧିକାରୀ ଶ୍ରୀ ଶତପଥିଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଯୋଜନା ମୁତାବକ  ଗତ ୨୦୦୯ ଅକ୍ଟୋବର ୫ ତାରିଖରେ ଅଭିଯୋଗକାରୀ ଶ୍ରୀ ସାହୁ ଜିଲ୍ଲା କୃଷି ଅଧିକାରୀଙ୍କୁ ରାସାୟନିକ ପ୍ରଲେପ ଦିଆ ୩ ହଜାର ଟଙ୍କା ଦେଇଥିଲେ। ଠିକ୍ ଏହି ସମୟରେ ପୂର୍ବରୁ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ତତ୍କାଳୀନ ଭିଜିଲାନ୍ସ ଡିଏସପି ରାଧାକୃଷ୍ଣ କାନୁନଗୋ ଓ ତତ୍କାଳୀନ ଭିଜିଲାନ୍ସ ନିରୀକ୍ଷକ ପରମେଶ୍ବର କିସାନ ମାମଲାର ତଦନ୍ତ କରି ଚୂଡାନ୍ତ ରିପୋର୍ଟ ଦେଇଥିଲେ। ଏହା ପରେ  ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମାମଲାର ବିଚାର କରି ରାୟ ପ୍ରକାଶ କରିଥିଲେ।।ଭିଜିଲାନ୍ସର ଭାରପ୍ରାପ୍ତ ପିପି ଗୌରମୋହନ ଦାଶ ମାମଲା ପରିଚାଳନା କରିଥିଲେ। ପୂର୍ବତନ କୃଷି ଅଧିକାରୀ ୨୦୨୦ ସେପ୍ଟେମ୍ବର ୩୦ରେ ଅବସର ନେବା ପରେ ପୁରୀ ଜିଲ୍ଲା ପିପିଲି ଥାନା ନିଜିଗଡ଼ରେ ରହୁଥିଲେ।

ସମ୍ବନ୍ଧିତ ଖବର