ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତି ରବିବାର ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଦେବେ। ଏହା ପରେ ବନକଲାଗି ନୀତି ପାଇଁ ଦର୍ଶନ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଜି ସୂଚନା ଦେଇଛି।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ହେରାପଞ୍ଚମୀ ପୂର୍ବଦିନ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ରବିବାର ଦ୍ବିତୀୟ ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣକୁ ଲାଗି କରାଯାଇ ବନକଲାଗି ଜରିଆରେ ନୀତିକୁ ଶେଷ ସ୍ପର୍ଶ ଦିଆଯିବ। ପ୍ରାୟ ୬ ଘଣ୍ଟା ଧରି ବନକଲାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳ ୫ଟାରେ ଦ୍ବାରଫିଟା, ସାଢ଼େ ୫ଟାରେ ଭିତରଶୋଧ, ୬ଟାରେ ମଙ୍ଗଳଆଳତି, ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି ଏବଂ ୭ଟାରେ ଅବକାଶ ନୀତି ସଂପନ୍ନ ହେବ। ଏହା ପରେ ଭକ୍ତମାନେ ସକାଳ ସାଢ଼େ ୭ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ। ବାକି ସମୟରେ ଭକ୍ତମାନେ ପରିମାଣିକ ଟିକେଟ୍ କାଟି ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସାଧାରଣ ଦର୍ଶନ କିନ୍ତୁ ବାହାରୁ ହେବ। ଭକ୍ତମାନେ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ୯ଟାରେ ରୋଷହୋମ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ସାଢ଼େ ୧୦ରୁ ୧୨ଟା ମଧ୍ୟରେ ସକାଳଧୂପ, ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ଭୋଗମଣ୍ଡପ, ଗୋଟାଏ ୪୫ରେ ମଇଲମ, ସାଢ଼େ ୨ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୩ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୩ଟାରେ ନୂଆଲୁଗା ଲାଗି ଓ ବେଶ, ସାଢ଼େ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସଂଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ଦ୍ୱିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଆରମ୍ଭ ହେବ। ଏଥିପାଇଁ ରାତି ପ୍ରାୟ ୯ଟାରୁ ବନକଲାଗି ଶେଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ପରଦିନ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/jayjaganath-6.jpg)