ପୁରୀ : ମହାପ୍ରଭୁଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ର ସେବକଙ୍କ ଭିତରେ ବିବାଦ ଜାରି ରହିଛି। ଦତ୍ତ ମହାପାତ୍ର ସେବକ ନିଜ ଜିଦ୍ରେ ଅଟଳ ରହିବା ସହ ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା। ଏଭଳି ବାଦବିବାଦ ଭିତରେ ଆଜି ବି ମହାପ୍ରଭୁଙ୍କ ବନକଲାଗି ନୀତି ସଂପନ୍ନ ହୋଇପାରିନି। ଅନ୍ୟପକ୍ଷରେ ଦତ୍ତ ମହାପାତ୍ର ସେବକ ଆଜି ବୁଧବାରରେ ବନକଲାଗି କରିନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପକ୍ରିୟା ଆରମ୍ଭ କରିଛି। ଏଥିସହ ବିକଳ୍ପ ଭାବେ ଶୁଦ୍ଧ ସୁଆରଙ୍କ ଜରିଆରେ ବନକଲାଗି କରିବାକୁ ଯୋଜନା କରିଛି। ଯଦି ଦତ୍ତ ମହାପାତ୍ର ସେବକ ବନକଲାଗି ନ କରନ୍ତି, ଆମେ ଶୁଦ୍ଧ ସୁଆରଙ୍କ ଜରିଆରେ ବନକଲାଗି କରି ପାରିବୁ।
ଏହା ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ଉଲ୍ଲେଖ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି।
ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ
ଶୁଦ୍ଧ ସୁଆର କରିପାରିବେ ବନକଲାଗି: ମୁଖ୍ୟ ପ୍ରଶାସକ
ପ୍ରତିବର୍ଷ ନୀଳାଦ୍ରି ବିଜେର ସାତ ଆଠ ଦିନ ଭିତରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତ ମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିଥାନ୍ତି। କିନ୍ତୁ ଚଳିତବର୍ଷ ଜୁଲାଇ ୧ରୁ ନୀଳାଦ୍ରି ବିଜେ ଶେଷ ହୋଇଥିଲେ ବି ୨୬ ଦିନ ପରେ ବନକଲାଗି ସଂପନ୍ନ ହୋଇପାରିନି।
/sambad/media/post_attachments/wp-content/uploads/2023/04/srimandir-puri-750x430.jpg)
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ୨୦୧୮ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇ ସାରିଛି, ଗୁରୁବାର ବଦଳରେ ବୁଧବାର ବନକଲାଗି ହେବ। ଗୁରୁବାର ଅନେକ ନୀତିକାନ୍ତି ରହୁଥିବାରୁ ଦର୍ଶନାର୍ଥୀ ଦର୍ଶନରୁ ବଞ୍ଚିତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ବୁଧବାର ବନକଲାଗି ହୋଇ ଆସୁଛି। ବାମଦେବସଂହିତାରେ ମଧ୍ୟ କୁହାଯାଇଛି, ଯଦି ବୁଧବାରରେ କାର୍ଯ୍ୟ ଅଧିକ ଯୋଗୁ ବନକଲାଗି ନ ହୋଇପାରୁଛି, ତେବେ ଏହା ଗୁରୁବାର କରାଯିବ। ବୁଧବାର ବନକଲାଗି କରିବାକୁ ଦତ୍ତ ମହାପାତ୍ର ସେବକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ ପ୍ରସ୍ତୁତ ନାହାନ୍ତି ବୋଲି କହୁଛନ୍ତି, ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବନକଲାଗି ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛୁ। ଆଜି ହିଁ ବନକଲାଗି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ବ୍ୟତିକ୍ରମ ହୁଏ, ସ୍ବତ୍ତ୍ବଲିପି ଆଧାରରେ ଦତ୍ତ ମହାପାତ୍ର ସେବକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।
ଅନ୍ୟପକ୍ଷରେ ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତ ମହାପାତ୍ର କହିଛନ୍ତି, ବୁଧବାର ଶ୍ରୀମନ୍ଦିର ପ୍ରଶାସନର ବନକଲାଗି ନିର୍ଦ୍ଦେଶନାମା ଗତକାଲି ରାତି ପ୍ରାୟ ୧୦ଟାରେ ଆମ ପାଖରେ ପହଞ୍ଚିଥିଲା। କିନ୍ତୁ ବନକଲାଗି କରିବାକୁ ଆମକୁ ଦିନେ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼େ। ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଗୁଣ୍ଡ କରିବା, କଇଁଥ ଅଠା ବତୁଳାଇବା ଆଦି କାମ ଦିନକ ପୂର୍ବରୁ କରିବାକୁ ପଡ଼େ। ହଠାତ୍ ବନକଲାଗି କରିବାକୁ କହିଲେ, ଆମେ ନିରୁପାୟ। ଆମେ ଗୁରୁବାରରେ ବନକଲାଗି କରିବାକୁ କହିଥିଲୁ, ଏବେ ବି ଗୁରୁବାରରେ ହିଁ ବନକଲାଗି କରିବୁ ବୋଲି ଶ୍ରୀମନ୍ଦିର ପ୍ରଶାସନକୁ କହିଛୁ। ପୂର୍ବରୁ ୨୦୧୯ ଓ ୨୦୨୦ ମସିହାରେ ବି ଗୁରୁବାରରେ ବନକଲାଗି ହୋଇଛି ବୋଲି ଶ୍ରୀ ଦତ୍ତ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/srimandir-1.jpg)