ପୁରୀ : ମହାପ୍ରଭୁ ସ୍ବୟଂ ବିଶ୍ବନିୟନ୍ତା। ସେ ବ୍ରହ୍ମାଣ୍ଡ ଠାକୁର। ତାଙ୍କ ପ୍ରତି ଭୟ ନାହିଁ କି ଭକ୍ତିଭାବ। ବରଂ ଆତ୍ମବଡ଼ିମା, ଅହଙ୍କାର ଏତେ ବଢ଼ିଯାଇଛି ଯେ ମହାପ୍ରଭୁଙ୍କ ସେବାକୁ ବି ବନ୍ଦ କରିଦେବାକୁ ସେବକ ପଛାଉନାହାନ୍ତି। ନୀଳାଦ୍ରି ବିଜେକୁ ୨୭ ଦିନ ବିତି ଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି। ଶ୍ରୀମନ୍ଦିର ପ୍ରଶାସନକୁ ହେୟଜ୍ଞାନ କରି ଚାଲିଛନ୍ତି ଦତ୍ତ ମହାପାତ୍ର ସେବକ। ମୁଖ୍ୟ ପ୍ରଶାସକଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ବିକଳ୍ପ ପନ୍ଥା ଆପଣାଇବା ସଂକ୍ରାନ୍ତ ଚେତାବନୀର ବି କୌଣସି ପ୍ରଭାବ ପଡ଼ିନାହିଁ। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଧମକ ସିନା ଦେଇଦେଇଛି, ଏବେ କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ।
ସେପଟେ ଶ୍ରୀମନ୍ଦିର ସ୍ବତ୍ବଲିପିରେ ବୁଧବାର ଅବା ଗୁରୁବାର ବନକଲାଗି ହେବାର ବିଧି ରହିଛି। ଗତକାଲି ବୁଧବାରରେ ବନକଲାଗି ହୋଇପାରିନଥିଲା। ଆଜି ଗୁରୁବାରରେ ବନକଲାଗି ହୋଇପାରେ ବୋଲି ଭକ୍ତ, ସେବାୟତ ଆଶା ରଖିଥିଲେ। କିନ୍ତୁ ଆଜି ବିଳମ୍ବିତ ରାତି ସୁଦ୍ଧା ବନକଲାଗି ନୀତି ହୋଇପାରିନି। ଯଦି ଅନ୍ୟ କୌଣସି ଦିନ ବନକଲାଗି କରାଯାଏ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ବତ୍ବଲିପିରେ ସଂଶୋଧନ ଆଣିବାକୁ ପଡ଼ିବ। ନିର୍ଦିଷ୍ଟ କି ପଦକ୍ଷେପ ନିଆଯିବ ତାହା ଜଣାପଡ଼ିନଥିଲେ ହେଁ ବନକଲାଗି ନୀତି ଓ ନୀତି ବନ୍ଦ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆସନ୍ତାକାଲି ନୀତି ସବ୍କମିଟିର ଏକ ଜରୁରୀ ବୈଠକ ଡକାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି।
ବେଖାତିର୍ କଲେ ଦତ୍ତ ମହାପାତ୍ର
କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କୁନ୍ଥକୁନ୍ଥ
ଆଜି ବସିବ ନୀତି ସବ୍କମିଟି ବୈଠକ
ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ର ସେବକଙ୍କ ଏହି ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି। ସେପଟେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଡର ଦେଖାଉଥିବା ଶ୍ରୀମନ୍ଦିର ପ୍ରଶାସନ ବି ପଛଘୁଞ୍ଚା ଦେବା ଭକ୍ତଙ୍କ ମହଲକୁ ଆନ୍ଦୋଳିତ କରିଛି। କେଉଁ ଅଦୃଶ୍ୟ ଚାପ ଆଗରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିରବତା ଅଲମ୍ବନ କରୁଛି ବୋଲି ପ୍ରଶ୍ନ ଉଠିଲାଣି। ବନକଲାଗିକୁ ବନ୍ଦ କରି ଭକ୍ତଙ୍କ ଭକ୍ତିଭାବ ପ୍ରତି ବାରମ୍ବାର କୁଠାରାଘାତ କରୁଥିବା ବିଶୃଙ୍ଖଳାକାରୀଙ୍କୁ କ୍ଷମା ନୁହେଁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଶ୍ରଦ୍ଧାଳୁମାନେ ମତଦେଲେଣି।
ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ବନକଲାଗିକୁ ନେଇ ବିବାଦ ଦେଖାଦେଲାଣି। ସଂଧ୍ୟା ଦର୍ଶନ ପୂର୍ବରୁ ବନକଲାଗିରେ ବିଭ୍ରାଟ ଦେଖା ଦେଇଥିଲା। ଦଇତାପତି ସେବକମାନେ ଦର୍ଶନ ବନ୍ଦ ପରେ ବି ପରିଚିତ ଭକ୍ତଙ୍କୁ ଆଡ଼ପ ଦର୍ଶନ କରାଇବାରୁ ସନ୍ଧ୍ୟା ୮ଟା ବଦଳରେ ବିଳମ୍ବିତ ରାତିରେ ବନକଲାଗି ନୀତି ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ବନକଲାଗି ସରିବା ବିଳମ୍ବ ହୋଇଥିଲା ଓ ପରଦିନ ବିନା ପହୁଡ଼ରେ ନୀତିକାନ୍ତି ଆରମ୍ଭ ହୋଇଥିଲା।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଦତ୍ତ ମହାପାତ୍ର ସେବକଙ୍କୁ ଗତ ଜୁଲାଇ ୧୨, ଜୁଲାଇ ୧୯ ତାରିଖ ଓ ଶେଷ ଥର ଜୁଲାଇ ୨୬ ତାରିଖ ବନକଲାଗି କରିବାକୁ କୁହାଯାଇଥିଲା। କିନ୍ତୁ ଏମାନେ ଆଦେଶକୁ ଅମାନ୍ୟ କରିଛନ୍ତି। ବୁଧବାର ବନକଲାଗି କରିବାକୁ ସ୍ବତ୍ବଲିପିରେ ଉଲ୍ଲେଖ ରହିଛି, ବୁଧବାର ହିଁ ବନକଲାଗି ହେବ ବୋଲି ଶ୍ରୀ ଦାସ କହିଛନ୍ତି। ଶ୍ରୀ ଦାସ ଆହୁରି କହିଛନ୍ତି, ମହାପ୍ରଭୁଙ୍କ ବନକଲାଗି ବିଳମ୍ବ ହେବାର ବିଭିନ୍ନ ଦିଗକୁ ତର୍ଜମା ଚାଲିଛି। ସେବାୟତମାନଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି। ନୀତି ସବ୍କମିଟି ସୁପାରିସକ୍ରମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଦତ୍ତ ମହାପାତ୍ର ସେବକଙ୍କୁ ଆଲୋଚନା ପାଇଁ ଡକାଯାଇଥିଲେ ବି ସେମାନେ ଗୁରୁବାର ବନକଲାଗି କରିବାକୁ ଜିଦ୍ରେ ଅଟଳ ରହିଛନ୍ତି। ପ୍ରଶାସନ ଯାହା ନିର୍ଦ୍ଦେଶ ଦେଉଛି, ତାକୁ ଅନୁପାଳନ କରିବା ସେବକଙ୍କ କର୍ତ୍ତବ୍ୟ। ବନକଲାଗି ମହାପ୍ରଭୁଙ୍କ ସେବା, ଏଠି ସେବା ହିଁ ଗୁରୁତ୍ବପୂର୍ଣ୍ଣ। ଏଠାରେ କୌଣସି ବ୍ୟକ୍ତିବିଶେଷ ଗୁରୁତ୍ବପୂର୍ଣ୍ଣ ନୁହନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।