ଆଜି ଶ୍ରୀବିଗ୍ରହଙ୍କ ବନକଲାଗି : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଗୁରୁବାର ଶ୍ରୀବିଗ୍ରହଙ୍କ ବନକଲାଗି (ଶ୍ରୀମୁଖ ଶୃଙ୍ଗାର) ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରି ପଛ ଭୋଗମଣ୍ଡପ ନୀତି ବଢ଼ିବା ପରେ ଏହି ନୀତି ସଂପନ୍ନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏଥି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ଯାଏ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ, ବୁଧବାର କିମ୍ବା ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି ହୋଇଥାଏ। ଗୁରୁବାର ଏହି ନୀତି କରିବାକୁ ମନ୍ଦିର ପ୍ରଶାସନ ଧାର୍ଯ୍ୟ କରିଥିବା ବେଳେ ତଦନୁଯାୟୀ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ବନକଲାଗି ଏକ ଗୁପ୍ତ ସେବା ହୋଇଥିବାରୁ ଦର୍ଶନ ବନ୍ଦ ରହିବ ବୋଲି ଦର୍ଶାଯାଇଛି। କେବଳ ସେତିକି ନୁହେଁ, ଗର୍ଭଗୃହରେ ଝୁଲି ରହିଥିବା କନକମୁଣ୍ଡି ଚାନ୍ଦୁଆ ମଧ୍ୟ ଗୁରୁବାର ବନ୍ଧାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଏହି ଚାନ୍ଦୁଆ ଓହଳି ଗର୍ଭଗୃହରେ ବିପଦ ସୃଷ୍ଟି କରୁଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନ ବନକଲାଗି ନୀତି ସମୟରେ ଚାନ୍ଦୁଆ ଲାଗି କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର