ପୁରୀ : ଶ୍ରୀମନ୍ଦିର ପ୍ରଶାସନର ଭୁଲ୍ ସୂଚନା ପାଇଁ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କେବଳ ଆଜି ନୁହେଁ, ଭକ୍ତମାନେ ଆସନ୍ତାକାଲି ବି ଦର୍ଶନରୁ ବଞ୍ଚିତ ହେବା ନିଶ୍ଚିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସମନ୍ବୟ ଅଭାବରୁ ଅଯଥାରେ ଭକ୍ତମାନେ ହଇରାଣ ହେଉଛନ୍ତି। ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିର ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ପକ୍ଷରୁ ଆଜି ମହାପ୍ରଭୁଙ୍କ ବନକଲାଗି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଥିଲା। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ ଓ ଅପରାହ୍ଣ ସାଢ଼େ ୪ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଥିଲା। ଏ ସଂପର୍କରେ ସମସ୍ତ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ସାରା ରାଜ୍ୟର ଭକ୍ତ ଜାଣିଲେ ଯେ ଆଜି ଶ୍ରୀମନ୍ଦିରରେ ସାଢ଼େ ୪ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଏଣୁ ଏହି ସମୟ ଭିତରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚାହୁଁଥିବା ଭକ୍ତମାନେ ଆଜି ଆଉ ଶ୍ରୀମନ୍ଦିର ଆସିନଥିଲେ। ହେଲେ ଆଜି ସକାଳେ ଏହାର ସମୟ ପରିବର୍ତନ କରାଯାଇଛି ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକସଂପର୍କ ଅଧିକାରୀ ସୂଚନା ଦେଇଥିଲେ। ଆସନ୍ତାକାଲି (ଗୁରୁବାର) ବନକଲାଗି ନୀତି ଅନୁଷ୍ଠିତ ହେବ ଓ ଅପରାହ୍ଣ ସାଢ଼େ ୪ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଯାହାକୁ ନେଇ ଭକ୍ତମାନେ ପୁଣି ଦ୍ବନ୍ଦ୍ବରେ ପଡ଼ିଛନ୍ତି।