ବାଣପୁର : ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯୭୩ ମସିହାରେ ଗଠିତ ହୋଇଥିଲା। ଚଳିତବର୍ଷ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ୫୦ ବର୍ଷରେ ପଦାର୍ପଣ କରିଛି। କିନ୍ତୁ ବାଣପୁର ସହରର ଛୋଟବଡ଼ ମୌଳିକ ସମସ୍ୟା ଏବେବି ଦୂର ହୋଇନି। ବିଶେଷକରି ବର୍ଜ୍ୟବସ୍ତୁ ପରିଚାଳନାରେ ପରିଷଦ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୧୫ଟି ୱାର୍ଡ ଏବଂ ୨୪ ହଜାର ନାଗରିକଙ୍କୁ ନେଇ ଗଠିତ ଏହି ବିଜ୍ଞାପିତ ଅଞ୍ଚଳର ବାସିନ୍ଦା ଅତ୍ୟାବଶ୍ୟକ ଡ୍ରେନ୍ ସେବାରୁ ବଞ୍ଚିତ ହୋଇଆସୁଛନ୍ତି।
ବାଣପୁରକୁ ସବ୍ ଡିଭିଜନ୍ର ମାନ୍ୟତା ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ଆଜି ପର୍ଯ୍ୟନ୍ତ ଏଠାକାର କୌଣସି ୱାର୍ଡରେ ଡ୍ରେନ୍ ନିର୍ମାଣ ହୋଇନାହିଁ। ଫଳରେ ବର୍ଷାଜଳ ସହ ସ୍ଥାନୀୟ ବାସିନ୍ଦାଙ୍କ ଘରୁ ବାହାରୁଥିବା ଦୂଷିତ ତଥା ଅପରିଷ୍କାର ଜଳ ନିଷ୍କାସନ ହୋଇପାରୁନି। ଏପରିକି ସାମାନ୍ୟ ବର୍ଷାରେ ପରିଷଦର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ବର୍ଜ୍ୟ ପାଣି ଦାଣ୍ଡରେ ରହି ଦୂଷିତ ପରିବେଶ ସୃଷ୍ଟି କରୁଛି। ବାଣପୁରର ଆରାଧ୍ୟା ମା’ ଭଗବତୀଙ୍କ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ଏହି ଦୂଷିତ ପାଣିରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଥାନାଠାରୁ ଜେଲ୍ରାସ୍ତା ଏବଂ ତଳସାହି ଦେଇ ଯାଇଥିବା ରାସ୍ତା ଉପରେ ଅନେକ ଲୋକଙ୍କ ପାଇଖାନା ଟାଙ୍କି ନିର୍ମାଣ ହୋଇଥିବାରୁ ସେଠାରେ ଓଭର ଫ୍ଲୋ ହୋଇ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବର୍ଷାଦିନେ ୧୩ ନମ୍ବର ୱାର୍ଡର ଅଧିକାଂଶ ଅଞ୍ଚଳରେ ପାଣି ଜମି ରହୁଛି। ଏଠାରେ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ କାମ କରୁନି। ଘର ଭିତରକୁ ପାଣି ପାଇପ୍ ଦିଆଯାଇ ନଥିବାରୁ ୯୯ ପ୍ରତିଶତ ଲୋକଙ୍କ ଦାଣ୍ଡରେ ଲାଗିଥିବା ଟ୍ୟାପ୍ରୁ ଅହରହ ପାଣି ଝରୁଛି। ଫଳରେ ରାସ୍ତାଘାଟରେ ୨୪ ଘଣ୍ଟା ପାଣି ବୋହୁଛି। ବିଭାଗୀୟ କାର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
ଏଥିନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅମିଟୁ ନାୟକଙ୍କୁ ପ୍ରଶ୍ନ କରାଯିବାରେ ସେ କହିଛନ୍ତି ଯେ ବାଣପୁର ଶୂନ୍ୟ ପଏଣ୍ଟ୍ଠାରୁ ପଲଟନ୍ ପଡ଼ିଆ ପର୍ଯ୍ୟନ୍ତ ରାସ୍ତା ଓସାରିଆ କରାଯାଇ ଡ୍ରେନ୍ ବ୍ୟବସ୍ଥା ପାଇଁ ଯୋଜନା ହୋଇସାରିଛି। ୫ଟି ସଚିବଙ୍କ ନିର୍ଦ୍ଦେଶାନୁସାରେ ଭଗବତୀ ମନ୍ଦିରର ନବକଳେବର ସାଙ୍ଗକୁ ବିଷାରପାଟଣା ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ଓସାର କରି ଡ୍ରେନ୍ ନିର୍ମାଣ କରିବା ପାଇଁ ଡିପିଆର୍ ଚୂଡ଼ାନ୍ତ ହୋଇସାରିଛି।