ସମ୍ବଲପୁର: ବନାରସ-ସମ୍ବଲପୁର ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟଣା ପର୍ଯ୍ୟନ୍ତ ସଂପ୍ରସାରଣ ହୋଇଛି। କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରେନକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଓଡ଼ିଶାର ବିକାଶ ମିଳିମିଶି କରିବାକୁ ରାଜ୍ୟ ସରକାରଙ୍କୁ ଖୋଲା ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶା ଭଳି ରାଜ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟ ଦେଇଛନ୍ତି। ୨୦୧୪ ପୂର୍ବରୁ ଓଡ଼ିଶାକୁ କେନ୍ଦ୍ରରୁ ୮୦୦ କୋଟି ଟଙ୍କା ଦିଆଯାଉଥିଲା। ଏବେ ଅନୁଦାନ ପରିମାଣ ୧୦ ହଜାର କୋଟି ଟଙ୍କା ହେଲାଣି। ଠିକ୍‌ ସେହିପରି ନୂଆ ରେଳ ଲାଇନ ନିର୍ମାଣ ବର୍ଷକୁ ୨୦୧୪ ପୂର୍ବରୁ ୫୦ କିମି ହେଉଥିଲା। ଏବେ ୯ ଗୁଣା ଅଧିକ ବର୍ଷକୁ ୪୫୦ କିମି ନିର୍ମାଣ କାମ ହେଉଛି। ଓଡ଼ିଶାର ୫୭ଟି ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରାଯିବ ବୋଲି ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ କହିଥିଲେ।

Advertisment

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ବିକଶିତ ନହେଲେ, ଦେଶ ବିକଶିତ ହେବନି। ଏଣୁ ପ୍ରଧାନମନ୍ତ୍ରୀ ସେହି ଲକ୍ଷ୍ୟ ନେଇ ଓଡ଼ିଶାକୁ ବିପୁଳ ପରିମାଣର ଟଙ୍କା ଦେଉଛନ୍ତି। କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଟଙ୍କା ଦେଇଛି। କିନ୍ତୁ ମୋଦୀ ସରକାର ୯ ବର୍ଷ ୪ ମାସରେ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାରେ ୬ ହଜାର ଟେଲିଫୋନ୍ ଟାଓ୍ୱାର ସ୍ଥାପନା ହୋଇଛି। ପୂର୍ବରୁ ଓଡ଼ିଶାକୁ କେନ୍ଦ୍ରରୁ ଖଣି ରାଜସ୍ୱ ୫୦୦୦ କୋଟି ଟଙ୍କା ମିଳୁଥିଲା। ଏବେ ପ୍ରଧାନମନ୍ତ୍ରୀ ନିୟମ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା ଖଣି ରାଜସ୍ୱ କେବଳ ୫୦ ହଜାର କୋଟି ଓଡ଼ିଶା ପାଉଛି। ବରଗଡ଼-ନୂଆପଡ଼ା ଲାଇନ, ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ପାଇଁ ପ୍ରାଥମିକ କାମ ଆରମ୍ଭ ହୋଇଛି। ଏହାସହ ଅଯୋଧ୍ୟାକୁ ଏକ ଟ୍ରେନ୍ ଚଳାଇବା ପାଇଁ ଶ୍ରୀ ବୈଷ୍ଣବଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଥିଲେ। ସମ୍ବଲପୁରଠାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଯୋଗଦେଇଥିଲେ। ସେହିପରି ବରଗଡ଼ ରୋଡ଼, ବଲାଙ୍ଗୀର, କେସିଙ୍ଗା ଷ୍ଟେସନଠାରେ ଭର୍ଚୁଆଲ୍‌ ସଭା ହୋଇଥିଲା। ସେଥିରେ ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ନିରଂଜନ ବିଶି, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।