ବଣ୍ଡାଘାଟିରେ ଚାଉଳ ହେରଫେର ଘଟଣା : କାଗଜପତ୍ର ଜବତ କଲା ଭିଜିଲାନ୍‌ସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଚାଉଳ ହେରଫେର ଘଟଣାର ଗୁମର ଫିଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭିଜିଲାନ୍‌ସ। ଗତକାଲି ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ଭିଜିଲାନ୍‌ସ ଅଧିକାରୀଙ୍କୁ ବିଡିଓ କିମ୍ବା ଏମଆଇ କୌଣସି ସହଯୋଗ କରି ନଥିଲେ। ତେଣୁ ଅଧିକାରୀ ଜଣକ ଖାଲି ହାତରେ ଫେରିଥିଲେ। ଏହାପରେ ଆଜି ପୁଣି ଭିଜିଲାନ୍‌ସର ଗୋଟିଏ ଟିମ୍‌ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲା। ଏପରିକି ଚାଉଳ ବଣ୍ଟନ ସଂପର୍କିତ ସମସ୍ତ କାଗଜପତ୍ର ଜବତ କରିଥିଲା। ଏହାପରେ ବିଡିଓ ବିଡିଓ,ଏମଆଇ ଏବଂ ପିଇଓଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା। ତେବେ ଅଧିକାରୀମାନେ କ’ଣ ଉତ୍ତର ରଖିଥିଲେ ସେନେଇ କୌଣସି ତଥ୍ୟ ମିଳିନାହିଁ। ଅପରପକ୍ଷରେ ଦୁର୍ନୀତି ଅଭିଯୋଗ ହେବାର ୪ଦିନ ପର୍ଯ୍ୟନ୍ତ ଚୁପ୍‌ ହୋଇ ବସିଥିବା ପ୍ରଶାସନ ଏହି ମାମଲାରେ ନୂଆ ପେଞ୍ଚ ପୂରାଇଛି। ମାମଲା ଯେମିତି ଭିଜିଲାନ୍‌ସ ହାତକୁ ନଯିବ ସେଥିପାଇଁ ଖଇରପୁଟ ଥାନାରେ ଏତଲା ଦେଇ ତଦନ୍ତ କରିବାକୁ ନିବେଦନ କରିଛି। କିନ୍ତୁ ଏହି ଉଦ୍ୟମ ଫସର ଫାଟି ଯାଇଛି। ଯେହେତୁ ଭିଜିଲାନ୍‌ସ ମାମଲାର ତଦନ୍ତ ଆରମ୍ଭ କରିସାରିଛି ତେଣୁ ଖଇରପୁଟ ପୁଲିସ ଏକ ଷ୍ଟେସନ ଡାଏରି କରି ନିଜ ଦାୟିତ୍ୱ ସାରି ଦେଇଛି।

ଅନ୍ୟପଟେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏପରିକି କିଛି ଅଧିକାରୀ ସବୁ ଠିକ୍‌ ଥିବା ଦର୍ଶାଇବାକୁ ଯାଇ କାଗଜପତ୍ର କାମ ଆରମ୍ଭ କରିଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ତଦନ୍ତ ପ୍ରକ୍ରିୟା ସାରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର