ଆଧୁନିକତାରେ ପାଦ ଥାପିଲେଣି ବଣ୍ଡା: ମୋବାଇଲ ଧରି କଥା ହେବାର ଶିଖିଲେଣି

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ଯେତେ ଆଦିମ ଆଦିବାସୀ ବସବାସ କରୁଛନ୍ତି, ସେଥିମଧ୍ୟରୁ ବଣ୍ଡା ଜନଜାତି ଅତି ପ୍ରାଚୀନ। ଏହି ଜନଜାତି ଜିଲ୍ଲାର ଖଇରପୁଟ ବ୍ଲକ (ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚ) ଅନ୍ତର୍ଗତ ବଣ୍ଡାଘାଟିରେ ବସବାସ କରନ୍ତି। ଏହି ଘାଟି ଉପରେ ଦୁଇଟି ପଞ୍ଚାୟତରେ ପ୍ରାୟ ୩୨ଟି ଗ୍ରାମ ରହିଛି। ୭ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ବଣ୍ଡା ଜନବସିତି ରହିଛି। ଦିନ ଥିଲା ଏବି ଜନଜାତି ଉଲଗ୍ନ ହୋଇ ରହିବାକୁ ପସନ୍ଦ କରୁଥିଲେ। କିନ୍ତୁ ଧିରେ ଧିରେ ଆଧୁନିକ ସଭ୍ୟତା ସହ ତାଳ ମିଳାଇ ଦେହରେ ବସ୍ତ୍ର ପିନ୍ଧିବା ଶିଖିଲେ। ନିଜେ ଘର ତିଆରି କରିବା ଶିଖିବା ପରେ ଘରେ ପରିବାର ହୋଇ ରହିଲେ। ଏମାନେ ଏକ ପ୍ରକାର ଉଗ୍ର ଜନଜାତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମାନଙ୍କ ପାଖକୁ ଯିବାକୁ ଲୋକେ ଭୟ କରୁଥିଲେ। ଏବେ କିନ୍ତୁ ସବୁ ଅଲଗା ହୋଇଯାଇଛି। ଏହି ସଂପ୍ରଦାୟର ବହୁ ଛାତ୍ରଛାତ୍ରୀ ଏବେ ଉଚ୍ଚ ଶିକ୍ଷିତ ଏବଂ ରାଜନୀତିରେ ମଧ୍ୟ ପାଦ ଥାପିଲେଣି।

ପୂର୍ବତନ ବିଧାୟକ ଡମ୍ବରୁ ଶିଶା ଏମାନଙ୍କ ମଧ୍ୟରୁ ଅନ୍ୟତମ। ସେହିଭଳି ବହୁ ଶିଶୁ ଭୁବନେଶ୍ବରରେ ପାଠ ପଢିବା ସହ ବାହାର ଦେଶକୁ ମଧ୍ୟ ନିଜର ପରିକାଷ୍ଠା ଦେଖାଇପାରିଛନ୍ତି। ବଣ୍ଡା ଜନଜାତି ଏବେ ଧିରେ ଧିରେ ଆଧୁନିକ ସଭ୍ୟତା ସହ ପାଦ ଥାପିଲେଣି। ମୋବାଇଲ ଯୁଗରେ ଏମାନେ ମୋବାଇଲ ଧରିବା ମଧ୍ୟ ଶିଖିଗଲେଣି। ନିଜର ପାରଂପିରାକ ଢଙ୍ଗରେ ବଂଚୁଥିବା ଏହି ଜନଜାତି ଏବଂ ଆଧୁନିକତା ସହ ଖାପଖୁଆଇ ଚଳିବାକୁ ଚେଷ୍ଟା କଲେଣି।ଏମାନେ ଜଂଗଲରୁ ଯାହା ସଂଗ୍ରହ କରିଥାନ୍ତି ତାକୁ ନିକଟସ୍ଥ ହାଟ ବଜାରରେ ବିକ୍ରି କରିବାକୁ ଆସନ୍ତି। ବିକ୍ରି କରିବା ପରେ ଯାହା ଟଂକା ପାଇଥାନ୍ତି ନିଜର ଅତ୍ୟାବଶକୀୟ ଜିନିଷ କିଣି ନେଇଥାନ୍ତି।

ଜଣେ ବଣ୍ଡା ମହିଳା ମୋବାଇଲରେ କଥା ହେଉଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ମଧ୍ୟ ଆଜିକା ଦିନରେ ସବୁ ସମ୍ଭବ ବୋଲି କୁହାଯାଇପାରେ। ଏମାନେ ଅଶିକ୍ଷିତ ହେଲେ ମଧ୍ୟ ଅନ୍ୟକୁ ଦେଖି ଏମାନେ ଶୀଘ୍ର ଶିକ୍ଷା କରିପାରନ୍ତି।ପ୍ରଶାସନ ଏବଂ ସରକାର ଏମାନଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି। ଯଦ୍ବାରା ଏମାନେ ବିଭିନ୍ନ ସରାକରୀ ଯୋଜନା ବିଷୟରେ ଜାଣିବା ସହ ଲୋକେ କିପରି ଚଳୁଛନ୍ତି ଏବଂ ସେମାନେ କିପରି କଥାବାର୍ତ୍ତା ହେଉଛନ୍ତି ତାକୁ ଅନୁକରଣ କରୁଛନ୍ତି।

ଏବେ ବହୁ ବଣ୍ଡା ଝିଅ ବାହାରକୁ ବାହାରି କାମ କରୁଛନ୍ତି। ହାତରେ ମୋବାଇଲ ଧରି ଗୀତ, ନାଚ ଦେଖିବା ସହ କଥା ହେବା ମଧ୍ୟ ଶିଖିଗଲେଣି । ହାଟ ବଜାରରେ ଜଣେ ବଣ୍ଡା ମହିଳା ନିଜ ସଂପର୍କୀୟଙ୍କ ଫୋନ ଯୋଗେ କଥା ହେବା ଦେଖିବା ପରେ ଏମାନେ ଆଉ ଆଧୁନିକ ସଭ୍ୟତା ଠାରୁ ପଛରେ ନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ପ୍ରାୟ ପ୍ରତ୍ୟେକ ଗ୍ରାମରେ ମୋବାଇଲ ପହଞ୍ଚି ସାରିଲାଣି।

ମୋବାଇଲରେ ନିଜ ଫଟୋ ଦେଖି ଏମାନେ ଆଉ ଆଶ୍ଚର୍ଯ୍ୟ ହେଉନାହାନ୍ତି।ଏମାନଙ୍କ ପାଖରେ ଯଦି ଶିକ୍ଷା ପହଞ୍ଚିଯାଏ ତେବେ ଏମାନେ ବି ଆଉ ପଛକୁ ଫେରିବେ ନାହିଁ ବୋଲି କୁହାଯାଇଛି।ପ୍ରଶାସନ ଏବଂ ସରକାରଙ୍କ ତରଫରୁ ବଣ୍ଡା ଜନଜାତିଙ୍କ ପାଇଁ କିପରି ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯିବ ସେନେଇ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ବଣ୍ଡା ଉନ୍ନୟନ ସଂସ୍ଥା ଏଠାରେ ପ୍ରତିଷ୍ଠା କରାଯାଇଛି ଏମାନଙ୍କ ଉନ୍ନତି ପାଇଁ ସତ କି୍ନ୍ତୁ ଏହି ସଂସ୍ଥା ଶିକ୍ଷା କ୍ଷେତ୍ରରେ କୌଣସି ସହଯୋଗ କରୁନଥିବା ଦେଖିବାକୁ ମିଳିଛି।ସରକାର ଏଥିପାଇଁ କଡା ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ସମ୍ବନ୍ଧିତ ଖବର