ଭୁବନେଶ୍ବର : ଓଡ଼ିଶାରେ ଗଡ଼ିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ତିନି ଦିନ ବିଳମ୍ବିତ ହେବ। ମେ’ ୧୫ ପରିବର୍ତ୍ତେ ୧୮ ତାରିଖରେ ପୁରୀରୁ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଉପସ୍ଥିତ ରହି ବହୁ ପ୍ରତୀକ୍ଷିତ ଏହି ସେବାର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ପୁରୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Advertisment

ଘଣ୍ଟା ପ୍ରତି ୧୩୦ କିମି ବେଗରେ ଦୌଡ଼ୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ପରୀକ୍ଷାମୂଳକ ଚଳାଚଳ ଏପ୍ରିଲ ୨୮ ଓ ୩୦ ତାରିଖରେ ସଫଳତାର ସହ ଶେଷ ହୋଇଛି। ପ୍ରତିଦିନ ସକାଳ ୬ଟା ୧୦ରେ ଏହି ଏକ୍ସପ୍ରେସ୍‌ ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିବ। ସକାଳ ୭ଟା ୩୮ରେ ଖଡ଼ଗପୁରରେ, ୯ଟା ୪୫ରେ ଭଦ୍ରକ, ୧୦ଟା ୨୫ରେ ଯାଜପୁର କେନ୍ଦୁଝର ରୋଡ୍‌, ୧୧ଟାରେ କଟକ, ୧୧ଟା ୨୫ରେ ଭୁବନେଶ୍ବର, ୧୧ଟା ୪୫ରେ ଖୋର୍ଦ୍ଧାରୋଡ୍‌ ଅତିକ୍ରମ କରି ଧାର୍ଯ୍ୟ ସମୟ ୧୨ଟା ୩୫ ସୁଦ୍ଧା ପୁରୀରେ ପହଞ୍ଚିବ। ଅପରାହ୍‌ଣ ୧ଟା ୫୦ରେ ‌ପୁରୀରୁ ହାଓଡ଼ା ଅଭିମୁଖେ ବାହାରି ରାତି ୮ଟା ୩୦ ସୁଦ୍ଧା ହାଓଡାରେ ପହଞ୍ଚିବ।