ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କନ୍‌ସେପ୍ଟ ‌ଟ୍ରେନ୍ ବନ୍ଦେ ଭାରତର ୨୦୨୪ରେ ଆସିବାକୁ ଥିବା ଶୟନଯାନର ୪ ଗୋଟି ପ୍ରକଳ୍ପିତ ଫଟୋ ପୋଷ୍ଟ କଲେ। ପ୍ରତିକ୍ରିୟାଗୁଡ଼ିକର କିୟଦଂଶ...

Advertisment

ସପକ୍ଷ

ଦୂର ଯାତ୍ରା ପାଇଁ ଶୟନଯାନ ଲୋଡ଼ା। ଯେତେବେଳେ କି ଦେଶରେ ମାଗଣା ବଣ୍ଟନ ଓ ଜାତି ଜନଗଣନାକୁ ନେଇ ରାଜ୍ୟମାନେ ପ୍ରତିଯୋଗିତାରେ ମାତିଛନ୍ତି ମୋ ସରକାର ଦେଶବାସୀଙ୍କ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣରେ ବ୍ୟସ୍ତ। ଏ ସରକାର ଆହୁରି ୧୦ ବର୍ଷ ରହୁ। ବିମାନର ବିଜିନେସ କ୍ଲାସ ଭଳି ଲାଗୁଛି। ପଞ୍ଚତାରକା ହୋଟେଲ୍‌ର ଦୃଶ୍ୟ ଭଳି ଲାଗୁଛି। ୬୦ ବର୍ଷ ତଳେ କେହି ଏସବୁ ସ୍ବପ୍ନରେ ବି ଭାବି ନ ଥିବେ। ସ୍ଥଳପଥ, ରେଳପଥ ଓ ଆକାଶପଥ ପାଇଁ ମୋଦୀ ଯଥାକ୍ରମେ ଗଡ଼କରୀ, ବୈଷ୍ଣବ ଓ ସିନ୍ଧିଆଙ୍କ ରୂପରେ ତିନି ଦକ୍ଷ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି। ରେଳଧାରଣା ଉପରେ ପଥର ପକାଇବା ଲୋକ ନ ରହିଲେ ରେଳର ଆଧୁନିକୀକରଣକୁ କେହି ରୋକିପାରିବେନି। ରେଳ ବିଭାଗ ଏହାକୁ ପର୍ଯ୍ୟଟନ ସହ ଯୋଡ଼ିଲେ କାଶୀ, ଚାରିଧାମ, ଅଯୋଧ୍ୟା, ପୁରୀ, ଉପକୂଳ କର୍ଣ୍ଣାଟକର ଧର୍ମପୀଠଗୁଡ଼ିକରେ ଭକ୍ତମାନେ ପହଞ୍ଚିବା ସହଜ ହୋଇପାରିବ। ବନ୍ଦେ ଭାରତରେ କେବଳ ସ୍ଲିପର୍ ନୁହେଁ, ଅବିରତ ୱାଇଫାଇ ସେବା ମଧ୍ୟ ଦିଆଯାଉ। ମଧ୍ୟମ ବର୍ଗ ହେଲେ ଦୂରଯାତ୍ରା ପାଇଁ ଉଦ୍ଦିଷ୍ଟ ଟ୍ରେନ୍‌ଗୁଡ଼ିକର ବଡ଼ ଗରାଖ। ତେଣୁ ସେମାନଙ୍କ ସ୍ବାର୍ଥକୁ ଜଗି ଯାତ୍ରୀଭଡ଼ାକୁ ଅପହଞ୍ଚ କରା ନଯାଉ।

ଧନୀକ ବର୍ଗକୁ ପ୍ରତିନିଧିତ୍ବ କରୁଥିବା @SolomonCarvalho ବିଚିତ୍ର ମତ ଦେଇ କହନ୍ତି, ଟିକସଦାତାଙ୍କ ଅର୍ଥର ସୁବିନିଯୋଗ ସେମାନେ ନିଜେ କରିବା ଉଚିତ। ପ୍ରକଳ୍ପିତ ଟ୍ରେନ୍‌ରେ ଯାତ୍ରୀଭଡ଼ାକୁ ଏତେ ଅଧିକ କରାଯାଉ ଯେ ତାହା ସାଧାରଣ ବର୍ଗର ଲୋକଙ୍କ ପାଇଁ ଅପହଞ୍ଚ ହେବ। ଆମେ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ଜଣାପଡ଼ିବା ଉଚିତ। ଯିଏ ପାରିଲା ସେ ପଶିଲେ ବଗିଗୁଡ଼ିକୁ ସାଧାରଣ ସ୍ଲିପର୍ କ୍ଲାସ୍‌ରେ ପରିଣତ କରିବାକୁ ବେଶି ସମୟ ଲାଗିବନି।

ବିପକ୍ଷ

କୃତ୍ରିମ ବୁଦ୍ଧିମତା(ଏଆଇ) କୃତ ଫଟୋଗୁଡ଼ିକ ବାସ୍ତବରେ ଚମତ୍କାର ହୋଇଛି। ଲୋକଟିଏ କେମିତି ଜୋତା ପିନ୍ଧି ବସିଛି ଦେଖୁନାହାନ୍ତି! ଶଯ୍ୟାରେ ବାଡ଼ ନାହିଁ। ପ୍ରଖର ବେଗରେ ଚାଲିଲେ ଯାତ୍ରୀ ଗଳିପଡ଼ିବେ। ତେଲିଆ ମୁଣ୍ଡରେ ତେଳ ନ ଢାଳି ସାଧାରଣ ଲୋକଙ୍କ ପାଇଁ ସାଧାରଣ ‌ଟ୍ରେନ୍‌ର ମାନରେ ଉନ୍ନତି ଅଣାଯାଉ। ଏ ସବୁ ଲୋକସମ୍ପର୍କ ଅଭିଯାନ ବନ୍ଦ କର। ଯଦି ମନ୍ତ୍ରୀ ମହୋଦୟ ପ୍ରକୃତରେ ଦେଶବାସୀଙ୍କର କଲ୍ୟାଣ ଚାହୁଥା’ନ୍ତି, ଏବେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକର ଭଲଭାବେ ରକ୍ଷଣାବେକ୍ଷଣ କରାଯାଉ, ସାଧାରଣ ଯାତ୍ରୀସେବାରେ ଉନ୍ନତି ଅଣାଯାଉ। ୮୦ ସିଟ୍‌ ବିଶିଷ୍ଟ ବଗିରେ ୪୦୦ ଲୋକ ବସିକି ଯାଉଛନ୍ତି, ତାହା ଦେଖାଯାଉନି? ଯାତ୍ରୀବାହୀ ଟ୍ରେନ୍ ବିଳମ୍ବ ହେବା ଏକ ସାଧାରଣ ଘଟଣା। କର୍ପୋରେଟ୍‌ ଦୁନିଆ ନିୟନ୍ତ୍ରଣରେ ପରିଚାଳିତ ଏହି ସରକାର ସାଧାରଣ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକର ପରିଚ୍ଛନ୍ନତାକୁ ଆଖି ମୁଦିଦେଇଛନ୍ତି। ବେଉସା ମୁଖ୍ୟ, ଯାତ୍ରୀସେବା ଗୌଣ, ତେଣୁ ମାଲଗାଡ଼ିକୁ ଆଗ ଛାଡ଼ି ଯାତ୍ରୀବାହୀ ଟ୍ରେନ୍‌କୁ ବାଟରେ ଘଣ୍ଟାଘଣ୍ଟା ପକାଇ ରଖିବା ଏମାନଙ୍କର ଏକ ଅଭ୍ୟାସ ହେଲାଣି। ବିହାର ସୀମାରେ ଟ୍ରେନ୍ ପଶିଗଲେ ତ ସାଧାରଣ ସ୍ଲିପର୍ ଏପରିକି ୩ ଏସି କିମ୍ବା ୨ ଏସିର କିଛି ମୂଲ୍ୟ ରହେନି। ଲୋକେ ବଳପୂର୍ବକ ସଂରକ୍ଷିତ ଆସନରେ ବସିଯା’ନ୍ତି! ତାକୁ ଆଗ କଡ଼ାକଡ଼ି କରୁନ! ୧୯୭୭ରେ ସ୍ଥାପିତ ଜନତା ପାର୍ଟିର ଚକ୍ର ହଳଧର ଲୋଗୋ ସହ @janataparty_org ନାମରେ ଖୋଲିଥିବା ଏକ ଆଇଡିରେ ଉପରୋକ୍ତ ବିଚାରକୁ ଏକ ପୁଞ୍ଜିବାଦୀ ବ୍ୟବସ୍ଥା ବୋଲି ସମାଲୋଚନା କରାଯାଇଛି। ଏହି ସରକାର କେବଳ ବଡ଼ବଡ଼ିଆଙ୍କ ସ୍ବାର୍ଥ ପାଇଁ କାମ କରୁଥିବା ସ୍ପଷ୍ଟ ହେଉଛି। ସାଧାରଣ ଟ୍ରେନ୍‌ରେ ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ କି ବ୍ୟବସ୍ଥା ହୋଇଛି? କୋଭିଡ ବେଳେ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକୁ ସ୍ବତନ୍ତ୍ର ଟ୍ରେନ୍‌ରେ ରୂପାନ୍ତରିତ କରି ଯାତ୍ରୀଭଡ଼ା ବଢ଼େଇଦେଲେ। ଏବେ ମଧ୍ୟ ଏମିତି ଅନେକ ଟ୍ରେନ୍ ଅଛି ଯେଉଁଥିରେ ଯିବାଆସିବା ଭଡ଼ା ମଧ୍ୟରେ ବି ଅନେକ ପ୍ରଭେଦ ରହିଛି। ଆଜିକାଲି ମଧ୍ୟ ଆଧୁନିକୀକରଣ ନାମରେ ଏମିତି ଟ୍ରେନ୍‌ ଚାଲୁଛି ଯେଉଁଥିରେ ନିୟମିତ ଜୋର୍‌ ଝଟ୍‌କା ଅନୁଭୂତ ହେଉଛି। ଏସବୁ ଆଗ ଦୂର କରନ୍ତୁ, ତା’ପରେ ଅନ୍ୟକିଛି କରିବେ। ଛୋଟ ଗଙ୍ଗା ବୋଲି କହି ବାରମ୍ବାର ନାଳକୁ ଡେଇଁବାକୁ କୁହାଯାଉଛି। ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଣେ ଲେଖିଛନ୍ତି, ଆପଣ ତ ଜଣେ ଆଇଆଇଟି-ପଢ଼ା ହାଇଫାଇ ଲୋକ, ଆପଣ କେମିତି ବୁଝିବେ ସାଧାରଣ ଲୋକଙ୍କ କଥା?