ଭଦ୍ରକ/ଭଣ୍ଡାରିପୋଖରୀ-୧/କୋରେଇ : ତିନିଦିନ ତଳେ ପୁରୀରେ ଲୋକାର୍ପିତ ହୋଇଥିବା ଭାରତର ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ଟ୍ରେନ୍ ପୁରୀ-ହାଓଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରବିବାର ଦିନ ଝଡ଼ତୋଫାନ ଯୋଗୁ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀରୋଡ୍‌ ନିକଟ ବୈତରଣୀ ପୋଲ ଉପରେ ଅଟକି ରହିଥିଲା। ଦୀର୍ଘ ୩ ଘଣ୍ଟା ଧରି ଟ୍ରେନ୍‌ଟି ଟ୍ରାକ୍‌ରେ ଅଟକି ରହିବାପରେ ରେଳବାଇର ବୈଷୟିକ ଟିମ୍‌ ସେଠାରେ ପହଞ୍ଚି ମରାମତି ଆରମ୍ଭ କରିଛି।

Advertisment

ଏହି ଡାଉନ୍‌ ଟ୍ରେନ୍‌ଟି ଅପରାହ୍ନ ୪.୩୦ରେ ଯାଜପୁରରୋଡ ଷ୍ଟେସନ ଅତିକ୍ରମ କରିଥିଲା। ବୈତରଣୀ ନଦୀ ସେତୁ ସମ୍ପୂର୍ଣ୍ଣ ପାର୍‌ ହୋଇନଥିବା ବେଳେ ଝଡ଼ତୋଫାନ ଯୋଗୁ ମଞ୍ଜୁରୀରୋଡ୍‌ ରେଳ ଷ୍ଟେସନ୍‌ ମଧ୍ୟବର୍ତ୍ତୀ ଖପୁରିଆପଦାଠାରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବା ସହ ଗଛଡ଼ାଳ ଭାଙ୍ଗି ଏକ୍ସପ୍ରେସ୍‌ର ଆଗ କାଚ (ଲୋକୋ ପାଇଲଟ୍‌ କ୍ୟାବିନ୍) ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଥିଲା। ଏହିସମୟରେ ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଦେଇଥିବା କୁହାଯାଉଛି। ୩ ଘଣ୍ଟା ଧରି ଟ୍ରେନ୍‌ ଅଟକି ରହିଥିବା ବେଳେ ଶହ ଶହ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ।

ଟ୍ରାକ୍‌ରେ ଟ୍ରେନ୍‌ଟି ଠିଆ ହୋଇଥିବାରୁ ଡାଉନ୍‌ ଲାଇନ୍‌ରେ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଛି। ରେଳ ବିଭାଗର ବୈଷୟିକ ଟିମ୍‌ ଓ ଅନ୍ୟାନ୍ୟ ଅଧିକାରୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ୍‌ର ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ରାତି ହୋଇ ଯାଇଥିବାରୁ ମରାମତି କାର୍ଯ୍ୟ ବିଳମ୍ବ ଘଟୁଥିବା ବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ, ଡିଜେଲ୍‌ ଇଞ୍ଜିନ ସହାୟତାରେ ରାତି ୮ଟା ୪୫ ମିନିଟ୍‌ ସମୟରେ ବନ୍ଦେ ଭାରତ ଟ୍ରେନ୍‌ ହାଓଡ଼ା ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।