ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର : ବନ୍ଦେ ଉତ୍କଳ ଜନନୀ…। ଲକ୍ଷେ ୨୦ ହଜାର ଛାତ୍ରଛାତ୍ରୀଙ୍କ କଣ୍ଠରୁ ବାହାରି ଆସୁଥିବା ସମବେତ ସ୍ବରର ଏହି ରାଜ୍ୟ ସଙ୍ଗୀତ ଭିନ୍ନ ଏକ ଉନ୍ମାଦନା ସୃଷ୍ଟି କରୁଥିଲା। ପୁଣି ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟରେ କମ୍ପୁଥିଲା କ୍ୟାପିଟାଲ ହାଇସ୍କୁଲ ପଡ଼ିଆ। ଏସବୁ ଯେମିତି ମନରେ ଓଡ଼ିଆତ୍ବ ଭାବନା ସୃଷ୍ଟି କରୁଥିଲା। ମକର ସଂକ୍ରାନ୍ତି ଛୁଟି ଅବସରରେ ବି କ୍ୟାପିଟାଲ ହାଇସ୍କୁଲ ପରିସରରେ ରୁଣ୍ଡ ହୋଇଥିଲେ ଶହ ଶହ ଛାତ୍ରଛାତ୍ରୀ। ଅବସର ଥିଲା ଭା‌ରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଆୟୋଜିତ ‘ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହ’ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଉତ୍କଳ ଜନନୀର ଗୌରବ ବୃଦ୍ଧି ପାଇଁ ଛାତ୍ର ଓ ଯୁବ ସମାଜ ସମର୍ପିତ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଏହି ସଙ୍ଗୀତ ହେଉଛି ଓଡ଼ିଆଙ୍କ ପ୍ରିୟ। ଏଥିରେ ଉତ୍କଳ ମାତା ପ୍ରତି ଭକ୍ତି ଓ ରାଜ୍ୟର ବିକାଶ ପାଇଁ ଶକ୍ତି ମଧ୍ୟ ଭରି ରହିଛି। ଏହା କେବଳ ମାତ୍ର ଏକ ସଙ୍ଗୀତ ନୁହେଁ, ଏହା ୪ କୋଟି ଓଡ଼ିଆଙ୍କ ସ୍ବାଭିମାନ ଓ ଅସ୍ମିତାର ପ୍ରତୀକ। ତେଣୁ ଓଡ଼ିଆ ଭାବେ ଆମେ ଓଡ଼ିଶା ମା’କୁ ଭଲପାଇବା ସହ ମାଟି ମା’ର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ କିଛି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ଡାକ ବିଭାଗ ପକ୍ଷରୁ ପ୍ରକାଶିତ ଏକ ସ୍ବତନ୍ତ୍ର ଲଫାପା ଓ ଉତ୍କଳ ଜନନୀ ଡାକ ଟିକେଟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ…’ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ରାଜ୍ୟ ସାଧାରଣ ସଂପାଦକ କରୁଣାକର ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ। ସଭାପତି ଅବସର ବେଉରିଆ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ଶ୍ରୀ ନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ବନ୍ଦେ ମାତାରମ୍‌ ସଙ୍ଗୀତ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଳିତ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର