ବାଳକୃଷ୍ଣଙ୍କ ଶୈଳୀରେ ବୋଲାଯିବ ‘ବନ୍ଦେ ଉତ୍କଳ ଜନନୀ…

ରାଜ୍ୟ ସଂଗୀତର ଅବଧି ହେବ ୨ ମିନିଟ୍ ୧୧ ସେକେଣ୍ଡ

ଭୁବନେଶ୍ବର : ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଦ୍ବାରା ପ୍ରସ୍ତୁତ ଶୈଳୀ‌ରେ ଗାନ କରାଯିବ ‘ବନ୍ଦେ ଉତ୍କଳ ଜନନୀ…। ଗୀତର ଅବଧି ୨ ମିନିଟ୍‌ ୧୧ ସେକେଣ୍ଡ ରହିବ। ଗୀତର ସମସ୍ତ ପଦ ରହିବ। ମାତ୍ର କୌଣସି ଧାଡ଼ିକୁ ପୁନରାବୃତ୍ତି କରାଯିବ ନାହିଁ। ରାଜ୍ୟ ସଂଗୀତ ମାନ୍ୟତା ପରେ ଏହାକୁ କିଭଳି ଗାନ କରାଯିବା ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଯବନିକା ପଡ଼ିଛି। ବିଧି ବିଧାନ ସମ୍ପର୍କରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି।

ଗତକାଲି ରାଜ୍ୟ ସରକାର ‘ବନ୍ଦେ ଉତ୍କଳ ଜନନୀ..କୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ପରେ ଏହି ଗୀତର ଗାୟନ ବିଧିକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କେତେ ମିନିଟ ବୋଲାଯିବ? ‌ବାଳକୃଷ୍ଣଙ୍କ ଶୈଳୀରେ ଏହା ବୋଲାଯିବ ନା ନାହିଁ? ଅବମାନନା କଲେ କ’ଣ ଦଣ୍ଡ ବିଧାନ ହେବ? ଏହିପରି ଅନେକ ପ୍ରଶ୍ନ ଉଠିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ କହିଛନ୍ତି, ସଂଗୀତର ସ୍ୱର, ଲୟ ଓ ତାଳ କ’ଣ ହେବ ଏ ନେଇ ତିନି ଦିନ ହେବ ଆଲୋଚନା ଚାଲିଛି। ୯ଟି ରାଜ୍ୟରେ ରାଜ୍ୟ ସଂଗୀତ ପ୍ରଚଳନ ରହିଛି। ସେଠାରେ ରାଜ୍ୟ ସଂଗୀତ ନିୟମ ଉଲ୍ଲଂଘନ କଲେ ଯେଉଁ ଦଣ୍ଡ ଦିଆଯାଉଛି, ତାହା ଅନୁଧ୍ୟାନ କରି ଏଠାରେ ସେଇଭଳି ଦଣ୍ଡ ବିଧାନର ବ୍ୟବସ୍ଥା ‌କରାଯିବା ନେଇ ସ୍ଥିର ହେବ ବୋଲି ସେ କହିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଗୀତର ରୂପରେଖ ପ୍ରସ୍ତୁତ କରି କ୍ୟାବିନେଟକୁ ଦିଆଯାଇଥିବା ବ‌େଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗୀତଟି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କଣ୍ଠଶିଳ୍ପୀ ସୁବାସ ଦାସ ଓ ତୃପ୍ତି ମିଶ୍ରଙ୍କ ସ୍ବରରେ ରେକର୍ଡ କରାଯାଇଥିଲା। ଗାନ ପରେ ଏହାର ଅବଧି ୪ ମିନିଟ୍ ୨୯ ସେକେଣ୍ଡ ହୋଇଥିଲା। ତେବେ ରାଜ୍ୟ ସଂଗୀତ ଗାନ ବେଳେ ଦଣ୍ଡାୟମାନ ହେବାର ବିଧି ଥିବାରୁ ପୁନରାବୃତ୍ତି ହେଉଥିବା ଧାଡ଼ିଗୁଡ଼ିକୁ ଗାନ କରାଯିବ ନାହିଁ। ଅର୍ଥାତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମୂଳ ଗୀତଟି ହିଁ ଗାନ କରାଯିବ। ‘ବନ୍ଦେ ଉତ୍କଳ ଜନନୀ’ ଧାଡ଼ିକୁ ପ୍ରଥମ ଓ ଶେଷରେ ୩ଥର ବୋଲାଯିବ। ଅନ୍ୟ ସ୍ଥାନରେ ଏହାର ପୁନରାବୃତ୍ତି ହେବ ନାହିଁ। ‌

ସମ୍ବନ୍ଧିତ ଖବର