ରାଜ୍ୟପାଳଙ୍କ କଣ୍ଠରେ ରେକର୍ଡିଂ ହେଲା ‘ବନ୍ଦେ ଉତ୍କଳ ଜନନୀ’

କଟକ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ କଣ୍ଠରେ ରେକର୍ଡିଂ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଓ ଗୀତିକାର ବିଜୟ ମଲ୍ଲଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ନୂଆ ସ୍ବରରେ ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟପାଳଙ୍କ କଣ୍ଠରେ କଟକ ମଧୁପାଟଣାସ୍ଥିତ ମିଲନ୍ ଷ୍ଟୁଡିଓରେ ରେକର୍ଡିଂ ହୋଇଛି। ରାଜ୍ୟପାଳଙ୍କ ସହିତ ଦୀପ୍ତିରେଖା ଓ ହ୍ୟୁମାନ ସାଗର ଏହି ଗୀତରେ କଣ୍ଠଦାନ କରିଛନ୍ତି। ୩ ମିନିଟି ୩୦ ସେକେଣ୍ଡ୍‌ର ଏହି ଗୀତରେ ଏକ ମିନିଟରୁ ଅଧିକ ସମୟ ରାଜ୍ୟପାଳଙ୍କ ସ୍ବର ରହିଛି।

ସୂଚନା ଅନୁସାରେ, ରାଜ୍ୟପାଳ ଶ୍ରୀ ଲାଲ ଏହି ଗୀତିଟିକୁ ଦୁଇଟି ଟେକ୍‌ରେ ରେକର୍ଡିଂ କରିଥିଲେ। ଏଥିପାଇଁ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ରାଜ୍ୟପାଳଙ୍କୁ ଦୁଇ ଦିନ ଧରି ଗୀତ ଅଭ୍ୟାସ କରାଇଥିଲେ। ଗୀତ ରେକର୍ଡିଂରେ ୯ ଜଣ ବାଦ୍ୟକାର ସହଯୋଗ ଦେଇଛନ୍ତି। ଉକ୍ତ ଗୀତର ଭିଡିଓ ନିକଟରେ ପୁରୀ ରାଜଭବନରେ ସୁଟିଂ କରାଯିବ। ଏପ୍ରିଲ ୧, ଉତ୍କଳ ଦିବସରେ ଏହା ରିଲିଜ୍‌ ହେବ। ଏହାପୂର୍ବରୁ ରାଜ୍ୟପାଳ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ ଗୀତରେ କଣ୍ଠଦାନ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଆ ଭାଷା ହେଉଛି ଶାସ୍ତ୍ରୀୟ ଭାଷା। ଏହା ଶୁଣିବାକୁ ଓ କହିବା ପାଇଁ ଏକ ମଧୁର ଭାଷା। ଓଡ଼ିଆ ଭାଷା ହେଉଛି ଈଶ୍ବରୀୟ ଭା‌ଷା। ଓଡ଼ିଆ ଭାଷାରେ ଆକର୍ଷଣ ରହିଛି। ସେଥିପାଇଁ ଓଡ଼ିଆ ଭ‌ଷା ଶିଖି ଓଡ଼ିଆ ଖବର କାଗଜ ପଢିବା ସହ ଓଡ଼ିଆ ବୁଝି ପାରୁଛି ବୋଲି ରାଜ୍ୟପାଳ କହିଛନ୍ତି।

ସମ୍ବନ୍ଧିତ ଖବର