ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ‘ବନ୍ଦେ ଉତ୍କଳ ଜନନୀ’ ସମବେତ ଗାନ, ଯୋଗଦେବେ ଖେଳାଳି ଓ ସିନେ ତାରକା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ‘ବନ୍ଦେ ଉତ୍କଳ ଜନନୀ’ ସମବେତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ସନ୍ଧ୍ୟା ସାଢ଼େ ୫ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣାଶୁଣା କ୍ରୀଡ଼ାବିଦ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ତାରକାମାନେ ଯୋଗଦେବେ ।

କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ କେ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଓ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ୟୁଟୁବ ଚ୍ୟାନେଲ ‘ସ୍ପେଟର୍ସ ଓଡ଼ିଶା’ରେ ଲାଇଫ୍ ପ୍ରସାରଣ ହେବ ।

ସୂଚନାଯୋଗ୍ୟ, କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଓଡ଼ିଶାବାସୀଙ୍କୁ ଆଗାମୀ ଶନିବାର (ମେ’ ମାସ ୩୦ ତାରିଖ) ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଆହ୍ୱାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ କଥା ହୋଇଥିଲେ । ଏଥି ସହିତ ସିପିଏମ ନେତା ଅଳି ପଟ୍ଟନାୟକ, ସମାଜବାଦୀ ପାର୍ଟି ନେତା ରବି ବେହେରା ଓ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ଗୀତ ଗାଇ ପ୍ରତ୍ୟେକ ଓଡ଼ିଆ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରନ୍ତୁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର