‘ବନ୍ଦେ ଉତ୍କଳ ଜନନୀ’ ଗାନରେ ଗୁଞ୍ଜରିତ ହେଲା ବାରିପଦା

ବାରିପଦା : ଆଜି ଠିକ୍ ସାଢ଼େ ୫ଟା ସମୟରେ ବନ୍ଦେ ଉତ୍କଳ ଜନନୀ ଗାନର ସୁମଧୁର ମୁର୍ଚ୍ଛନାରେ ବାରିପଦା ଗୁଞ୍ଜରିତ ହୋଇଥିଲା। ଆବାଳବୃଦ୍ଧବନୀତା ଏହି ବନ୍ଦେ ମାତରମ୍ ଗାନରେ ସାମିଲ ଥିଲେ। ବାରିପଦା ସହରର ସମସ୍ତ ବାସିନ୍ଦା ଯିଏ ଯେଉଁ ସ୍ଥାନରେ ଥିଲେ ସେହିଠାରେ ହିଁ ବନ୍ଦେ ଉତ୍କଳ ଜନଜୀ ଗାନ କରିବାର ଦୃଷ୍ଟିଗୋଚର ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ବିଭାଗ ପକ୍ଷରୁ ବାରିପଦା ଟାଉନ ଥାନା ସମ୍ମୁଖରେ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି ପରମାର, ବାରିପଦା ସଦର ଏସଡିପିଓ କେ କେ ହରିପ୍ରସାଦ, ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରମୁଖଙ୍କ ସମେତ ପୁଲିସ ବିଭାଗର କର୍ମଚାରୀ ଓ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିସହିତ ଜିଲ୍ଲା ପୁଲିସ୍ ପଡ଼ିଆରେ ମଧ୍ୟ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଆାୟୋଜିତ ହୋଇଥିଲା ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମବେତ ବନ୍ଦେ ଉତ୍କଳ ଜନନୀ ଗାନ ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏଡିଏମ୍ ସ୍ବଧା ଦେବ ସିଂ, ଏଡିଏମ୍ ବ୍ରଜବନ୍ଧୁ ଭୋଳ ଓ ବିବେକାନନ୍ଦ ସାହୁ, ଆଇଏଏସ୍ ପ୍ରବେସନର୍ ବି ଡି ପାଟିଲ୍ ପ୍ରମୁଖଙ୍କ ସମେତ ଜରୁରୀ ଅଧିକାରୀ ସୁଜୟ ପତି, ଡେପୁଟୀ କଲେକ୍ଟର(ରାଜସ୍ବ) ସମରଜିତ କର, ପ୍ରମିଳା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ବିଭିନ୍ନ ମହିଳା ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟା ପ୍ରମୁଖ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।

ଜିଲ୍ଲା ବିଜେଡି କାର୍ଯ୍ୟାଳୟ
ଜିଲ୍ଲା ବିଜେଡି କାର୍ଯ୍ୟାଳୟ ତଥା ବିଜୁ ଭବନ ପରିସରରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ରାଜସ୍ୱ ମନ୍ତ୍ରୀ ତଥା ବିଜେଡି ମୟୂରଭଞ୍ଜ ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡି, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ଦଳର ରାଜ୍ୟ ସମ୍ପାଦକ ସୁନୀଲ କୁମାର ଦାଶ, ସାନନ୍ଦ ମାର୍ଣ୍ଡି, ଜିଲ୍ଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି, ସ୍ବରୂପ ଦାସ, ସୁଶୀଲ ସେଠୀ, ସୁନୀଲ ନାୟକ, ଅବଦୁଲ ହବିବ୍, ଆଶୀର୍ବାଦ ଦାସ, ସିଦ୍ଧାର୍ଥ ପାତ୍ର, ଅଭୟ ସିଂ ପ୍ରମୁଖଙ୍କ ସମେତ ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର