‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗରେ ମତାମତ

ଜାତିପ୍ରୀତି ବଢ଼ିବ
ବ୍ୟକ୍ତିଗତ ଭାବେ ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ। ଗତ ସପ୍ତାହରେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ସମୂହ ଗାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେଥିପାଇଁ ମୁଁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲି। ଆଜି ଆନୁଷ୍ଠାନିକ ଭାବେ ରାଜ୍ୟ କ୍ୟାବିନେଟ୍‌ରେ ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇଛି। ଗୋଟିଏ ଜାତି ବା ସମୂହ ପାଇଁ ପତାକାଟିଏ ବା ଗୀତଟିଏ ଅନେକ ମହତ୍ତ୍ବ ରଖେ। ଆମେ ଭାରତବର୍ଷର ନାଗରିକ। ଆମର ସମ୍ବିଧାନ ଗୋଟିଏ ଏବଂ ଜାତୀୟ ସଂଗୀତ ମଧ୍ୟ ଗୋଟିଏ। ଯଦିଓ ଏହାକୁ ବହୁବର୍ଷ ଧରି ରାଜ୍ୟ ସଂଗୀତ ଭାବେ ଆମେ ବିଭିନ୍ନ ଅନୁଷ୍ଠାନରେ ସମବେତ ଭାବେ ଗାଇ ଆସୁଥିଲୁ, ଆଜିର ମାନ୍ୟତା ଏହାକୁ ଅଧିକ ଗୁରୁତ୍ବ ଦେବ ଏବଂ ଓଡ଼ିଶା ଭୂଖଣ୍ଡରେ ଭାବଗତ ଏକତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ଏହାଦ୍ବାରା ଆମ ସମସ୍ତଙ୍କର ଜାତିପ୍ରୀତି , ସ୍ବାଭିମାନ ଓ ଅଙ୍ଗୀକାରବଦ୍ଧତା ମଧ୍ୟ ବୃଦ୍ଧି ପାଇବ।
ସୌମ୍ୟରଂଜନ ପଟ୍ଟନାୟକ, ସମ୍ପାଦକ, ସମ୍ବାଦ

ଉପଯୁକ୍ତ ମାନ୍ୟତା ମିଳିଲା
‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମିଳିବା ଖୁସି ଖବର। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆଙ୍କ ମନରେ ଦେଶାତ୍ମବୋଧର ମଞ୍ଜି ଭରିଥିଲା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ। ଏବେ ଏହି ସଙ୍ଗୀତକୁ ଉପଯୁକ୍ତ ମାନ୍ୟତା ମିଳିଲା।
ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ

ଆଶା, ଆକାଂକ୍ଷା ଚରିତାର୍ଥ ହୋଇଛି
ନିଷ୍ପତ୍ତିକୁ ସ୍ବାଗତ କରୁଛି। ଓଡ଼ିଆମାନଙ୍କର ବହୁ ଦିନର ଆଶା, ଆକାଂକ୍ଷା ଚରିତାର୍ଥ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମେତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସାମିଲ ହୋଇଥିବା ରାଜ୍ୟର ବରପୁତ୍ରମାନଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି। ରାଜ୍ୟର ଯୁବପିଢ଼ି ଏହି ସଙ୍ଗୀତ ମାଧ୍ୟମରେ ନିଜ ରାଜ୍ୟକୁ ଚିହ୍ନି ସ୍ବାଭିମାନର ସହ ରାଜ୍ୟର ବିକାଶରେ ନିଜକୁ ସାମିଲ କରାଇବେ ବୋଲି ଆଶା।
ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ

ଭାଇଚାରା ସୃଷ୍ଟିରେ ସହାୟ ହେବ
ବନ୍ଦେ ଉତ୍କଳ ଜନନୀକୁ ନେଇ ବିଧାନସଭାରେ ବିଭିନ୍ନ ସମୟରେ ଆଲୋଚନା, ଚର୍ଚ୍ଚା ହୋଇଛି। ବହୁ ପ୍ରସ୍ତାବ ଆସିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ଏହି ସଙ୍ଗୀତକୁ ଖୁବ୍ ଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚାଯିବ। ଓଡ଼ିଆଙ୍କୁ ଏକଜୁଟ୍‌ କରିବା ଓ ଭାଇଚାରା ସୃଷ୍ଟି କରିବାରେ ଏହି ସଙ୍ଗୀତ ଆଗାମୀ ଦିନରେ ମାଧ୍ୟମ ହେବ।
ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଐତିହାସିକ ନିଷ୍ପତ୍ତି
ରାଜ୍ୟ ସରକାର ଆଜି ନେଇଥିବା ଐତିହାସିକ ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ଚାଲିଥିବା ପ୍ରକ୍ରିୟାରେ ମୁଁ ଏକଦା ସାମିଲ ଥିବାରୁୁ ନିଜକୁ ଗୌରବାନ୍ବିତ ମନେ କରୁଛି। ଏହା ବିଶ୍ବବ୍ୟାପୀ ଓଡ଼ିଆ ଅସ୍ମିତାକୁ ଦୃଢ଼ କରିବ ବୋଲି ମୋର ବିଶ୍ବାସ।
ଅରବିନ୍ଦ ପାଢ଼ୀ, ପ୍ରଶାସକ

ସମ୍ବନ୍ଧିତ ଖବର