କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି :‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଲା। ଏ ନେଇ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଥିବା ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କ୍ୟାବିନେଟ୍ ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ‘ବନ୍ଦେ ଉତ୍କଳ ଜନନୀ ହେଉଛି ଓଡ଼ିଆ ଜାତିର ସ୍ୱାଭିମାନର ସଙ୍ଗୀତ ଏବଂ କାନ୍ତକବିଙ୍କର ଏହି କାଳଜୟୀ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବନାରେ ରହିଛି। ଏହି ସଙ୍ଗୀତ ଗାନ ଲାଗି ସ୍ବର,ଶୈଳୀ ଓ ଅବଧି ନିର୍ଦ୍ଧାରଣ ଲାଗି ସୂଚନା ଓ ଲୋକସଂପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି। ଏହାକୁ ପ୍ରତିଟି ଶିକ୍ଷାନୁଷ୍ଠାନରେ ଗାନ କରାଯିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଥିବା ନେଇ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏହାକୁ ପାଠ୍ୟକ୍ରମଭୁକ୍ତ କରାଯିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ସଙ୍ଗୀତ ଗାନର ଆରମ୍ଭରୁ ଶେଷ ସମସ୍ତଙ୍କୁ ଛିଡ଼ା ହେବାକୁ କୁହାଯାଇଛି। ସରକାରୀ କାର୍ଯ୍ୟକ୍ରମରେ ବି  ଏହାକୁ ଗାନ କରିବାକୁ ନିର୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ଦେଶାତ୍ମବୋଧକ ସଂଗୀତକୁ ୧୯୧୨ ମସିହାରେ ରଚନା କରିଥିଲେ। ଏହା ପ୍ରଥମ କରି ଉତ୍କଳ ସମ୍ମିଳନୀ ଅଧିବେଶନରେ ଗାନ କରାଯାଇଥିଲା। ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରଠାରୁ କାନ୍ତକବିଙ୍କର ଏହି କାଳଜୟୀ ରଚନା ରାଜ୍ୟ ସଂଗୀତ ଭାବେ ସର୍ବଜନବିଦିତ ଥିଲା। ୧୯୯୪ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଏହାକୁ ଓଡ଼ିଶା ବିଧାନସଭାର ପ୍ରତି ଅଧିବେଶନରେ ଉଦଯାପନୀ ସଂଗୀତ ଭାବେ ଗାନ କରିବା ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର