ଟ୍ରାଏଲ୍‌ ରନ୍‌ରେ ତାଳଚେରକୁ ଗଡ଼ିଲା ବନ୍ଦେଭାରତ ଏକ୍ସପ୍ରେସ୍‌

ପୁରୀ: ପୁରୀରୁ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ପୁରୀରୁ କୋଲକାତା ପରେ ଏବେ ରାଉରକେଲାକୁ ଗଡ଼ିବ। ଆଜି ପୁରୀରୁ ଟ୍ରାଏଲ ଆଣ୍ଡ ଟେଷ୍ଟିଂ ପାଇଁ ତାଳଚେର ଗଡ଼ିଛି ଏହି ସେମି ସ୍ପିଡ୍‌ ଏକ୍ସପ୍ରେସ୍‌। ଆସନ୍ତା ୩୦ ତାରିଖ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରେ ଏହାର ବିଧିବଦ୍ଧ ଲୋକାର୍ପଣ ହେବାକୁ ଥିବା ବେଳେ ଆଜି ଟ୍ରାକ୍‌ରେ ପରୀକ୍ଷାମୂଳକ ଭାବେ ଗଡ଼ିଛି। ପୁରୀ ରେଳ ଷ୍ଟେସନରୁ ସକାଳ ସାଢ଼େ ୯ଟାରେ ବାହାରିଥିଲା ଓ ସାଢ଼େ ୧୨ଟାରେ ତାଳଚେରରେ ପହଞ୍ଚିଥିବା ସୂଚନା ଦିଆଯାଇଛି।

ସ୍ବଦେଶୀ ଜ୍ଞାନ କୌଶଳରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ଏହି ଏକ୍ସପ୍ରେସ୍‌ ଚେନ୍ନାଇର ପେରାମବୁର ଇଣ୍ଟିଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହୋଇଛି। ଏହି ଏକ୍ସପ୍ରେସ୍‌ରେ ଯାତ୍ରା କଲେ ଅନ୍ୟ ଟ୍ରେନଠାରୁ ଦୁଇଘଣ୍ଟା ଆଗୁଆ ପହଞ୍ଚିପାରିବେ ଯାତ୍ରୀ। ରାଉରକେଲା ଅଭିମୁଖେ ଯିବା ବେଳେ ଟ୍ରେନ ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ ରହିବ। ଏହି ଟ୍ରେନ୍‌ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ। ରାଜଧାନୀରେ ଏକ୍ସପ୍ରେସ୍‌ ତେଜସ୍‌ କୋଚ୍‌ର ଶୁଭାରମ୍ଭ ହେବା ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଉରକେଲା ରୁଟ୍‌ରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚାଲିବା ନେଇ ଘୋଷଣା କରିଥିଲେ। ଏହି ଟ୍ରେନ୍‌ ଯୋଗେ ପଶ୍ଚିମ ଓଡ଼ିଶାବାସୀ ବିଶେଷ ଉପକୃତ ହେବେ।

ଆଜି ଟ୍ରାଏଲ୍‌ ରନ୍‌ ପୂର୍ବରୁ ପୁରୀ ରେଳ ଷ୍ଟେସନ୍‌ରେ ଅଧିକାରୀମାନେ ଏକ୍ସପ୍ରେସ୍‌ ସ୍ଥିତି ଯାଞ୍ଚ କରିଥିଲେ। ରେଳ କାର୍ଯ୍ୟାଳୟ ସୂଚନା ମୁତାବକ, ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନରେ ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲିବ। ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ସକାଳ ୫ଟାରେ ବାହାରି ସକାଳ ୬ଟା ୯ମିନିଟ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବ। କଟକରେ ୬ଟା ୩୬, ଢେଙ୍କାନାଳରେ ୭ଟା ୨୬, ଅନୁଗୁଳରେ ୮ଟା ୩୬, ସମ୍ବଲପୁରରେ ୧୦ଟା ୨୦, ଝାରସୁଗୁଡ଼ାରେ ୧୧ଟା ୨୫ ଏବଂ ରାଉରକେଲାରେ ୧୨ଟା ୪୫ମିନିଟରେ ପହଞ୍ଚିବ। ସେହିଦିନ ରାଉରକେଲାରୁ ମଧ୍ୟାହ୍ନ ୨ଟା ୧୦ରୁ ବାହାରି ପୁରୀରେ ରାତି ୯ଟା ୪୦ରେ ପହଞ୍ଚିବ। ଏହା ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଯାତ୍ରା କରିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଥିରେ ଅଟୋମେଟେଡ୍‌ କ୍ଲୋଜିଂ ଡୋର ରହିଛି। ପ୍ରତି କୋଚରେ ୪ଟି ଲେଖାଏଁ ଜରୁରିକାଳୀନ ଝରକା ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ରହିଛି। ଏକଜିକ୍ୟୁଟିଭ୍‌ ଶ୍ରେଣୀ ପାଇଁ ୧୮୦ ଡିଗ୍ରି ବୁଲି ପାରୁଥିବା ସିଟ୍‌ ରହିଛି। ଏଥିସହ ଟ୍ରେନରେ ବାୟୋଭାକ୍ୟୁମ ଶୌଚାଳୟ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର