ରାଉରକେଲା: ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ଶ୍ରମିକ, କୃଷକ, ଜନ ବିରୋଧୀ ନୀତି ଆପଣେଇ ଚାଲିଥିବା ଅଭିଯୋଗରେ ଆଜିଠାରୁ ଦୁଇଦିନିଆ ଧର୍ମଘଟ ଆରମ୍ଭ ହୋଇଛି। ଆନ୍ଦୋଳନର ପ୍ରଥମ ଦିନରେ ଇସ୍ପାତ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ୍‌, ଏଲ୍‌ଆଇସି, ଦୋକାନ ବଜାର ଆଦି ବନ୍ଦ ରହିଛି। ଶ୍ରମିକ ସଂଗଠନର ସଦସ୍ୟମାନେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ପିକେଟିଂ କରିଥିଲେ। ସଂଘ ଉପସ୍ଥାପିତ ଦାବିଗୁଡ଼ିକ ହେଲା,- ୪ଟି ଶ୍ରମ କୋଡ୍‌ ବାତିଲ, ସଂଯୁକ୍ତ କିଶାନ ମୋର୍ଚ୍ଚାର ୬ ଦଫା ଦାବି ପୂରଣ, ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସମ୍ପଦ ବିମୁଦ୍ରାକରଣ ଯୋଜନା ବାତିଲ, ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ଓ ଆୟକର ପ୍ରଦାନ ବାହାରେ ଥିବା ପରିବାରକୁ ମାସିକ ୭,୫୦୦ ଟଙ୍କା, ଖାଦ୍ୟ ସହାୟତା ପ୍ରଦାନ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ଓ ସହରାଞ୍ଚଳକୁ ନିଶ୍ଚିତ ରୋଜଗାର ଯୋଜନା ବିସ୍ତାର କରିବା, ସମସ୍ତ ଅଣଆନୁଷ୍ଠାନିକ କ୍ଷେତ୍ରକୁ ସାମାଜିକ ସୁରକ୍ଷା ଯୋଗାଇବା, ଶ୍ରମିକର ମାନ୍ୟତା ପ୍ରଦାନ, କୋଭିଡ୍‌ ମହାମାରୀ ସମୟରେ ଆଗଧାଡ଼ିର ଶ୍ରମିକମାନଙ୍କୁ ସୁରକ୍ଷା ଓ ସୁବିଧାସହ ବୀମା ବ୍ୟବସ୍ଥା, ଧନିକ ଶ୍ରେଣୀ ଉପରେ ସମ୍ପଦ କର ଲାଗୁ କରିବା, ଗୁରୁତ୍ବପୂର୍ଣ୍ଣ ସାର୍ବଜନୀନ ସେବାକ୍ଷେତ୍ରରେ ପୁଞ୍ଜିନିବେଶ, ପେଟ୍ରୋଲ, ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ହ୍ରାସ, ସମାନ କାମକୁ ସମାନ ମଜୁରୀ ନୀତି ଲାଗୁ କରିବା, ଜାତୀୟ ପେନସନ ଯୋଜନା ବାତିଲ କରି ପୁନର୍ବାର ପୁରୁଣା ପେନସନ ଯୋଜନା ଲାଗୁ, କର୍ମଚାରୀ ପେନସନ ଯୋଜନା ଅଧିନସ୍ଥ ସର୍ବନିମ୍ନ ପେନସନରେ ଆଖିଦୃଶିଆ ବୃଦ୍ଧି କରିବାକୁ ଦାବି କରାଯାଇଛି।

Advertisment

publive-image

ଉଲ୍ଲେଖଯୋଗ୍ୟ, ଏହି ମିଳିତ ଧର୍ମଘଟକୁ ବିଭିନ୍ନ ଶ୍ରମିକ ସଂଗଠନ, ଯଥା- ଆଇଏନ୍‌ଟିୟୁସି, ଏଆଇୟୁଟିୟୁସି, ଏଆଇଟିୟୁସି, ଏଆଇସିସିଟିୟୁ, ଏଚ୍‌ଏମ୍‌ଏସ୍‌, ଟିୟୁସିସି, ସିଆଇଟିୟୁ, ଏସ୍‌ଇଡବ୍ଲୁଏ, ଏଲ୍‌ପିଏଫ୍‌ ଆଦି ସମର୍ଥନ ଜଣାଇଛନ୍ତି।