ବ୍ୟାସନଗର : ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ମାତ୍ର ସେ ଏହି ଦାୟିତ୍ବ ନେବାକୁ ଅସମର୍ଥ ବୋଲି ଜଣାଇଛନ୍ତି। ଶାରୀରିକ ଅସୁସ୍ଥତା କାରଣରୁ ଏହି ଦାୟିତ୍ବ ନେବାକୁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି।
ଗତ ସାଧାରଣ ନିର୍ବାଚନରେ କୋରେଇ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀ ଭାବେ ଲଢ଼ିଥିବା ଏହି ବରିଷ୍ଠ ନେତ୍ରୀଙ୍କୁ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ୍ ଗତ ୩ ତାରିଖରେ ନୂତନ ନିଯୁକ୍ତି ସଂପର୍କରେ ଜଣାଇଥିଲେ। ଏ ସଂକ୍ରାନ୍ତରେ ପତ୍ର ଜରିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାଓଲେଖାଙ୍କୁ ମଧ୍ୟ ଜଣାଇ ଦେଇଥିଲେ। ଏହାପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ପ୍ରଭାରୀ ଶ୍ରୀମତୀ ସାଓଲେଖା ବନ୍ଦିତାଙ୍କୁ ଖୁସି ଖବର ଜଣାଇଥିଲେ। ଶ୍ରୀମତୀ ପରିଡ଼ାଙ୍କ କହିବାନୁଯାୟୀ ସର୍ବଭାରତୀୟ ମହିଳା କଂଗ୍ରେସ, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଓ ଓଡିଶା ମହିଳା କଂଗ୍ରେସ କମିଟି ଭରସା କରି ଏଭଳି ଗୁରୁଦାୟିତ୍ବ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶାରୀରିକ ଅସୁସ୍ଥତା କାରଣରୁ ଏଭଳି ଗୁରୁଦାୟିତ୍ବ ସୁଚାରୁ ରୂପେ ସମ୍ପାଦନ କରିପାରିବେ ନାହିଁ ବୋଲି ସେ ପିସିସି ସଭାପତିଙ୍କୁ ସାକ୍ଷାତ କରି ଜଣାଇଛନ୍ତି। ପୁନର୍ବାର ଅନ୍ୟଜଣେ ନେତ୍ରୀଙ୍କୁ ଏହି ଦାୟିତ୍ବ ଦେବା ସହ ପିସିସି ଓ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ନାମ ଘୋଷଣା କରାଯିବ ବୋଲି ସେ ସମ୍ବାଦକୁ ସୂଚନା ଦେଇଛନ୍ତି।