ବଙ୍ଗଡ଼ଦୁଆ ଘାଟି ଦୁର୍ଘଟଣା : ୬ ଗୁରୁତର କଟକ, ଏମ୍‌ସ ସ୍ଥାନାନ୍ତର

୧୦ ମୃତକଙ୍କୁ କବର ଦିଆଗଲା

ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବ୍ଲକ ଅନ୍ତର୍ଗତ ବଙ୍ଗଡ଼ଦୁଆ ଘାଟିରେ ଗତକାଲି ସକାଳେ ଏକ ମିନିଟ୍ରକ୍‌ ଓଲଟିଥିଲା। ଦୁର୍ଘଟଣାରେ ସମୁଦାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବ‌ାବେଳେ ୩୯ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ୬ ଜଣଙ୍କୁ କଟକ ଓ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ୧୦ ଜଣ ମୃତକଙ୍କୁ ଆଜି ଶୋକାକୁଳ ଅବସ୍ଥାରେ କବର ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଆହତଙ୍କ ମଧ୍ୟରୁ ସର୍ବାଧିକ ୩୦ଜଣ ସର୍ଜରୀ ୱାର୍ଡ଼ରେ ଥିବାବେଳେ ୮ଜଣ ଅସ୍ଥିଶଲ୍ୟ ବିଭାଗ ଏବଂ ଜଣେ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବି ବଡମେଡିକାଲକୁ ରେଫର୍‌ କରାଯାଇଥିଲା। ସେମାନଙ୍କ ସଠିକ୍ ପରିଚୟ ମିଳିପାରିନାହିଁ। ତେବେ ରାତି ୯ଟା‌ରେ ଅନ୍ୟ ଦୁଇ ଜଣଙ୍କୁ ରେଫର୍ କରାଯାଇଛି। ଜଣେ ହେଲେ କଳିଙ୍ଗିର ଖ୍ରୀଷ୍ଟ ଛାଟିଆ (୪୬ବର୍ଷ)। ଅନ୍ୟଜଣେ ହେଲେ ବୁଜୁଲିର ରାମୁ ଉଠାଣସିଂ (୧୫ବର୍ଷ)। ତାଙ୍କର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଡାହାଣ ଗୋଡ଼ ଭାଂଗିଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସୁଲୁମାହାର ଚୁମୁକି ଦିଗାଲ (୧୩ବର୍ଷ) ଏବଂ ଶଶିଭୂଷଣ ପଣ୍ଡାଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଥିବାରୁ ସେମାନଙ୍କୁ ରେଫର୍‌ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଆଜି ମୃତ ୧୦ ଜଣଙ୍କୁ ଶୋକାକୁଳ ପରିବେଶରେ କବର ଦିଆଯାଇଛି।

ସମ୍ବନ୍ଧିତ ଖବର