ଏୟାରପୋର୍ଟରୁ ବନ୍ଧା ହେଲା ସନ୍ଦିଗ୍ଧ ବାଂଲାଦେଶୀ, ନକଲି ପାସ୍‌ପୋର୍ଟ ଜବତ

ଭୁବନେଶ୍ୱର : ନକଲି ପାସ୍‌ପୋର୍ଟ ବଳରେ କୋଲକାତାରେ ଦୀର୍ଘ ଦିନ ଧରି ରହି ଆସୁଥିବା ଜଣେ ଯୁବକକୁ ବିମାନବନ୍ଦରରେ ବ୍ୟାଙ୍କକକ୍‌ରୁ ଆସୁଥିବା ଫ୍ଲାଇଟ୍‌ (ନମ୍ବର-ଏଫ୍‌ଡି-୧୨୨)ରୁ ଗିରଫ କରାଯାଇଛି। ସମ୍ପୃକ୍ତ ଯୁବକଙ୍କ ଉପରେ ସନ୍ଦେହ ହେବାରୁ ପାସ୍‌ପୋର୍ଟ ଯାଞ୍ଚ କରାଯାଇଥିଲା। ଅଭିଯୁକ୍ତ ଜଣେ ଇମିଗ୍ରେସନ୍‌ ଅଧିକାରୀଙ୍କ ଦ୍ବାରା ଧରାପଡ଼ିବା ପରେ ଏୟାରପୋର୍ଟ ଥାନା ପୁଲିସ ତାକୁ ଗିରଫ କରିଛି। ବିଶ୍ବନାଥ ମଣ୍ଡଳ ନାମରେ ପାସ୍‌ପୋର୍ଟ ତିଆରି କରି କୋଲକାତାରେ ରହିବା ସହ ଭାରତର ସମସ୍ତ ଜାଗାକୁ ଅନ୍ୟାୟାସରେ ଯାତ୍ରା କରୁଥିବା ଏହି ଛଦ୍ମବେଶୀ ବାଂଲାଦେଶୀ ଯୁବକ ହେଉଛି ଆୟାନ ଶ୍ରମଣ ଓରଫ ବରୁଆ। ବୟସ ୨୯ ବର୍ଷ। ସେ ବାଂଲାଦେଶ ଚିତ୍ତଗଙ୍ଗ୍‌ ଜିଲ୍ଲା ବଂଶକାଲି ଥାନା ଜଲ୍‌ଦି ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ତା’ ଠାରୁ ଦୁଇଟି ଆଧାର କାର୍ଡ, ଦୁଇଟି ମୋବାଇଲ ଫୋନ୍‌, ଗୋଟିଏ ନୋଟ୍‌ ବୁକ୍‌ ଓ ବିଶ୍ବନାଥ ମଣ୍ଡଳ ନାମରେ ଗୋଟିଏ ଭାରତୀୟ ପାସ୍‌ପୋର୍ଟ(ନଂ ପି୫୯୨୧୮୭୪) ଜବତ କରାଯାଇଛି। ଚାକିରି ଅନ୍ବେଷଣରେ ଜଣେ ବାଂଲାଦେଶୀ ଦଲାଲଙ୍କ ଜରିଆରେ ନକଲି ପାସ୍‌ପୋର୍ଟ ତିଆରି କରିଥିବା କହୁଥିବା ବେଳେ ତା’ର ଅନ୍ୟ କୌଣସି ଅପରାଧରେ ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି। ଆବଶ୍ୟକ ପଡ଼ିଲେ ତାକୁ ରିମାଣ୍ଡରେ ଅଣାଯିବ‌ ବୋଲି ଏୟାରପୋର୍ଟ ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଇମିଗ୍ରେସନ ବିଭାଗ ଅଧିକାରୀ ବିଚିତ୍ରାନନ୍ଦ ସାମଲ ତାକୁ ଧରିଥିଲେ। ତାଙ୍କ ଅଭିଯୋଗକୁ ଆଧାରକରି ପାସ୍‌ ପୋର୍ଟ ଓ ଫରେନର୍ସ ଆଇନ ବଳରେ ଏକ ମାମଲା ରୁଜୁ କରି ଏୟାରପୋର୍ଟ ଥାନା ପୁଲିସ ତଦନ୍ତ ଚଳାଇଛି। ଜବତ ନୋଟ୍‌ବୁକ୍‌ରେ ଲିଖିତ ତଥ୍ୟରେ କିଛି ଆପରାଧିକ କାରବାର ଅଛି କି ନାହିଁ ତାହାର ତଦନ୍ତ ହେଉଛି। ଯେଉଁ ଦୁଇଜଣ ବାଂଲାଦେଶୀ ଦଲାଲଙ୍କ ଜରିଆରେ ଏହି ନକଲି ପାସ୍‌ପୋର୍ଟ ତିଆରି ହୋଇଥିଲା ‌ସେମାନେ ହେଉଛନ୍ତି ସୁବାସ ସର୍କାର ଓ ରୁବେଲ ବରୁଆ। ୨୦୧୬ ନଭେମ୍ବର ୧୬ ତାରିଖରେ ଇସ୍ୟୁ ହୋଇଥିବା ଏହି ପାସ୍‌ପୋର୍ଟର ଅବଧି ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ୧୦ରୁ ୧୨ ବର୍ଷ ଧରି ସେ ପଶ୍ଚିମବଙ୍ଗର ରାମକୃଷ୍ଣ ପଲ୍ଲୀରେ ରହି ଆସୁଥିଲା।

ସମ୍ବନ୍ଧିତ ଖବର