ସ˚ଶୋଧିତ ନାଗରିକତା ବିଲ୍‌କୁ ନେଇ ଆଶାବାଦୀ ବଙ୍ଗାଳୀସାହି ବାସିନ୍ଦା: ୭୫ବର୍ଷ ହେଲା ଶରଣାର୍ଥୀ ଜୀବନ କାଟୁଛନ୍ତି ୪୦ ପରିବାର

ବ୍ରହ୍ମପୁର (ଲକ୍ଷ୍ମୀ ବେଜ): ବ୍ରହ୍ମପୁରରେ ପ୍ରଥମ କାଳୀ ପୂଜା ପାଇଁ ସୁନାମ ଅର୍ଜନ କରିଥିବା ବଙ୍ଗାଳୀସାହିର ବାସିନ୍ଦା ଆଜି ମଧ୍ୟ ଶରଣାର୍ଥୀ ଜୀବନ ବିତାଉଛନ୍ତି। ୧୯୫୪ମସିହାରେ ବାଂଲାଦେଶ ତଥା ତତ୍କାଳୀନ ପାକିସ୍ତାନ ଅଧୀନସ୍ଥ ପୂର୍ବ ବଙ୍ଗରୁ କିଛି ପରିବାର ଚାରବାଟିଆ ଚାଲି ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୨ପରିବାରକୁ ବ୍ରହ୍ମପୁରର ଆସିକା ରୋଡ ଓ ମିଲ୍‌ଟାରୀ ଲାଇନ୍‌ ମଧ୍ୟସ୍ଥଳରେ ସରକାରଙ୍କ ପକ୍ଷରୁ ଥଇଥାନ କରାଯାଇଥିଲା। ପର୍ଯ୍ୟାୟକ୍ରମେ ଅନ୍ୟ କେତେକ ଶରଣାର୍ଥୀଙ୍କୁ ଏଠାରେ ଥଇଥାନ କରାଯାଇଥିଲା। ୪୦ରୁ ଉର୍ଦ୍ଧ୍ୱ ପରିବାର ଏଠାରେ ବସବାସ କରୁଥିବା ବେଳେ ବାଂଲାଦେଶରୁ ଆସିଥିବାରୁ ସେହି ଅଂଚଳର ନାଁ ବଙ୍ଗାଳୀସାହି ହୋଇଥିଲା। ବର୍ଷବର୍ଷ ଧରି ଏଠାରେ ସେମାନେ ବସବାସ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଭାରତୀୟ ନାଗରିକତାର ସ୍ୱୀକୃତି ମିଳିନାହିଁ। ବର୍ତ୍ତମାନ ସଂସଦରେ ନାଗରିକତା ସଂଶୋଧନ ବିଲ୍ ଆଗତ ହେବାକୁ ନେଇ ସେମାନଙ୍କ ମନରେ ଆଶା ସଂଚାର ହୋଇଛି।

ବାରମ୍ବାର ଦାବି ପରେ ବିଳମ୍ବରେ ହେଲେ ମଧ୍ୟ ୯୦ଦଶକରେ ଏହି ବଙ୍ଗାଳୀସାହିର ବାସିନ୍ଦାଙ୍କୁ ମତଦାନର ଅଧିକାର ମିଳିଥିଲା। ସାହିରେ ମୋଟ ୨୮୦ଜଣ ମତଦାତା ଅଛନ୍ତି। କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଜମି ପଟ୍ଟା ମିଳୁନାହିଁ। ଏସମ୍ପର୍କରେ ସେମାନେ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। କିନ୍ତୁ କେହି ଶୁଣୁନାହାନ୍ତି ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି ଏହି ସାହିର ବରିଷ୍ଠ ମହିଳା ପୁଷ୍ପା ଶାହା।

ସୂଚନା ଅନୁଯାୟୀ ୧୯୫୪ ମସିହାରେ କଟକ ଜିଲ୍ଲା ଚାରବଟିଆ ଶରଣାର୍ଥୀ ରିଲିଫ କ୍ୟାମ୍ପରୁ ବ୍ରହ୍ମପୁର ସହରକୁ ପ୍ରଥମେ ୧୨ଜଣ ପରିବାର ଆସିଥିଲେ। ଉକ୍ତ ୧୨ଜଣ ପରିବାରଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ବର୍ତ୍ତମାନର ବଙ୍ଗାଳୀସାହିଠାରେ ଅବସ୍ଥାପିତ କରାଯାଇଥିଲା। ଏହାପରେ ପୁଣି ୪ଟି ପରିବାର ଉକ୍ତ ସ୍ଥାନକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ରାଜ୍ୟସରକାରଙ୍କ ପକ୍ଷରୁ ଅସ୍ଥାୟୀ ତମ୍ବୁ ପକାଇ ଶରଣାର୍ଥୀମାନଙ୍କୁ ଥଇଥାନ କରାଯାଇଥିଲା। ଦୀର୍ଘ ୩ ବର୍ଷ ଧରି ଅସ୍ଥାୟୀ ତମ୍ବୁରେ ୧୬ପରିବାର ବସବାସ କରିବା ପରେ ତତ୍କାଳୀନ ବ୍ରହ୍ମପୁର ପୌରପରିଷଦ ପକ୍ଷରୁ ୧୯୫୮ରେ ଶରଣାର୍ଥୀ ପରିବାରଙ୍କ ସ୍ଥାୟୀ ଥଇଥାନ ପାଇଁ ବାସଗୃହ ପ୍ରଦାନ କରିବା ସହ ଗିରିମାର୍କେଟ ଠାରେ ଦୋକାନ ଘର ଓ ବ୍ୟବସାୟ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଭଳି ଭାବେ ସେଠାରେ ନିଜର ପରିବାର ଧରି ବସବାସ କରୁଥିବା ବଙ୍ଗାଳୀମାନଙ୍କ ସ˚ଖ୍ୟା କ୍ରମଶ ବୃଦ୍ଧି ହେବା ପରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ଥାନକୁ ସେମାନେ ସ୍ଥାୟୀ ବସତି ଭାବେ ଗ୍ରହଣ କରିବାକୁ ଲାଗିଲେ। ବିଗତବର୍ଷ ମାନଙ୍କରେ ବ୍ରହ୍ମପୁର ତହସିଲ ପକ୍ଷରୁ ଉକ୍ତ ବଙ୍ଗାଳୀସାହି ବାସିନ୍ଦାମାନଙ୍କ ଠାରୁ ଖଜଣା ଆଦାୟ କରାଯାଉଥିବା ବେଳେ ଏହାର କିଛିବର୍ଷ ପରେ ସମସ୍ତ ପରିବାରଙ୍କୁ ଭୋଟର୍‌ ତାଲିକାରେ ସାମିଲ୍‌ କରାଯାଇ ମତଦାନ କରିବାର ଅଧିକାର ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଆଧାରକାର୍ଡ ମଧ୍ୟ ପ୍ରଦାନ କରାଯାଇଛି।

ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ବାସିନ୍ଦାର ପ୍ରମାଣପତ୍ର ମିଳିନାହିଁ। ଏହାମଧ୍ୟରେ ପୌରପରିଷଦ ପକ୍ଷରୁ ପୂର୍ବରୁ ପ୍ରଦାନ କରାଯାଇଥିବା ଦୋକାନ ଗୃହକୁ ବଙ୍ଗାଳୀମାନଙ୍କ ଠାରୁ ଛଡାଇ ନିଆଯିବା ସହ ବସବାସକରୁଥିବା ଅଞ୍ଚଳରୁ ବାର୍ଷିକ ଖଜଣା ମଧ୍ୟ ଆଦାୟ କରାଯାଉଛି। ଉକ୍ତ ଅଞ୍ଚଳରେ ବସବାସ କରୁଥିବା ବଙ୍ଗାଳୀ ମାନଙ୍କ ମଧ୍ୟରୁ କେତେକ ବ୍ୟବସାୟରେ କ୍ଷତି ସହି ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଛନ୍ତି। ଆଉ କେତକ ନିଜର ଆର୍ଥିକ ସ୍ୱଚ୍ଛଳତା ଆସିବାରୁ ସେମାନେ ଅନ୍ୟତ୍ର ନିଜର ବାସଗୃହ କରି ବସବାସ କରୁଥିବା ଜଣାପଡିଛି।

ସ˚ପ୍ରତି ଉକ୍ତ ଅଞ୍ଚଳରେ ପ୍ରାୟ ୪୦ପରିବାର ବସବାସ କରୁଛନ୍ତି। ଶିକ୍ଷାଗତ ଯୋଗ୍ୟତା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପ୍ରମାଣପତ୍ର ତହସିଲ୍‌ କାର୍ଯ୍ୟାଳୟରୁ ମିଳୁଥିବା ବେଳେ ବଙ୍ଗାଳୀସାହି ବାସିନ୍ଦାଙ୍କ ନାମରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ରହିଥିବା ଜଣାପଡିଛି। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦାବିକରି ଦୀର୍ଘ୨୦ବର୍ଷ ଧରି ଲଗାତାର ସ˚ଗ୍ରାମ କରି ଆସୁଛନ୍ତି। ରାଜସ୍ୱ ମନ୍ତ୍ରୀ ଥିବା ବେଳେ ସୂର୍ଯ୍ୟନାରାୟଣ ପାତ୍ର ଉକ୍ତ ସମସ୍ୟା ନେଇ ସାହିବାସିନ୍ଦାଙ୍କ ସହ ଆଲୋଚନା କରି ଏଭଳି ସମସ୍ୟା ନେଇ ସରକାରଙ୍କ କଣ ନୀତିନିୟମ ରହିଛି ସେ ଉପରେ ତର୍ଜମା କରି ଅତିଶିଘ୍ର ସମାଧାନର ପନ୍ଥା ବାହାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।

ବ୍ରହ୍ମପୁର ପୂର୍ବତନ ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ, ପୂର୍ବରୁ ଏମାନେ ଶରଣାର୍ଥୀ ଭାବେ ଆସିଥିଲେ, ସେମାନଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ସରକାରୀ ଜମି ପ୍ରଦାନ କରାଯାଇଛି। ତାହା ଶରଣାର୍ଥୀ ଜମି ନାମରେ ରହିଥିବା ବେଳେ ଏଭଳି ସମସ୍ୟାର ନୀତିଗତ ନିଷ୍ପତ୍ତି ନେବାର ଅଧିକାର କେବଳ ସରକାରଙ୍କର ରହିଛି। ତେବେ ଗତକାଲି ସ˚ସଦରେ ସ˚ଶୋଧିତ ନାଗରିକ ବିଲ୍‌ ଆଗତ ହେବା ପରେ ବଙ୍ଗାଳୀସାହିର ବରିଷ୍ଠ ବାସିନ୍ଦା ଅଦିନ ଶାହା କହିଛନ୍ତି, ବର୍ଷବର୍ଷ ଧରି ଶରଣାର୍ଥୀ ଭାବେ ରହିଥିଲୁ, ଭାରତ ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ଆମେ ସ୍ଥାୟୀ ନାଗରିକତ୍ୱ ପାଇବୁ ବୋଲି ଆଶା ରଖିଛୁ। ଏହାପରେ ଆମର ସମସ୍ତ ସମସ୍ୟାର ସମାଧାନ ହୋଇଯିବ।

ସମ୍ବନ୍ଧିତ ଖବର