ରାଜନଗର,(ସୂର୍ଯ୍ୟନାରାୟଣ ଲେଙ୍କା) : ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ଯାହାଙ୍କ ବିରୋଧରେ ୬ବର୍ଷ ପୂର୍ବେ ତହସିଲ୍ଦାର୍ ଏତଲା ଦେଇଥିଲେ, ଏବେ ତାଙ୍କ ଅନ୍ୟ ଦୁଇ ଭାଇ ଓ ତାଙ୍କ ପରିବାର ଲୋକଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବା ପାଇଁ ଜମି ଯୋଗାଇ ଦିଆଯାଇଛି। ଏଥିସହିତ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାତଭାୟାବାସୀଙ୍କ ଥଇଥାନସ୍ଥଳୀ ବଗପାଟିଆରେ ଅନୁପ୍ରବେଶକାରୀଙ୍କୁ ଥଇଥାନ କରାଯିବା ନେଇ ଏଭଳି ଗୁରୁତର ଅଭିଯୋଗ ହୋଇଛି।
୨୦୧୬ ମସିହାରେ ତାରାପଦ ରପ୍ତାନୀ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ତହସିଲ୍ଦାର୍ ଏତଲା ଦେଇଥିଲେ। ତାଙ୍କ ପିତାଙ୍କ ନାମ ବୀରେନ ରପ୍ତାନୀ, ଘର ବାଲାଂଦେଶ। ୬ବର୍ଷ ପୂର୍ବେ ‘ସମ୍ବାଦ’କୁ ତାରାପଦ କହିଥିଲେ, ‘ବାଲାଂଦେଶରୁ ଆସି ଆମେ କଲିକତାରେ ରହୁଥିଲୁ। ୭/୮ ବର୍ଷ ତଳେ ପାରାଦୀପରେ ଜଣେ ଭାଇ ପାଖରେ ରହି କାମ କରୁଥିଲି।୨/୩ ବର୍ଷ ହେବ ଆସି ରାଜନଗର ବ୍ଲକ୍ ଗୁପ୍ତି ପଂଚାୟତ ଚାରିଘରିଆରେ ରହୁଛି। ଏଠାରେ ମୋର ୨ ଭାଇ ହରିପଦ ରପ୍ତାନୀ ଓ ନଳିନୀ ରପ୍ତାନୀ ରହୁଥିଲେ। ପ୍ରଥମେ ଆସି ତାଙ୍କ ପାଖରେ ରହୁଥିଲି। ଏବେ ନନି ମଣ୍ତଳଙ୍କ ଘର ଭଡାନେଇ ରହୁଛି। ମୋ ସହିତ ମୋ ସ୍ତ୍ରୀ ମାୟା ଓ ଝିଅ ଇତିକା ରହୁଛନ୍ତି। ମୋ ଜନ୍ମ କୋଲକାତାରେ।’ ୨୦୧୬ରେ ତାରାପଦର ଏଭଳି ସ୍ବୀକାରୋକ୍ତି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲା। ରାଜନଗର ତହସିଲ ପକ୍ଷରୁ ୨୦୧୬, ମେ ୬ ତାରିଖରେ ଚିଠି ନଂ. ୨୪୪୫ ରେ ତାରାପଦ ବାଲାଂଦେଶୀ ଅନୁପ୍ରବେଶକାରୀ ବୋଲି ସନ୍ଦେହ କରି ରାଜନଗର ଥାନାରେ ଏତଲା ଦିଆଯାଇଥିଲା। ଏପରିକି ତହସିଲ ପକ୍ଷରୁ ତଦନ୍ତ ବେଳେ ତାଙ୍କ ପାଖରୁ ପାରାଦୀପ ଓ ଚାରିଘରିଆର ଦୁଇଟି ଫଟୋ ପରିଚୟପତ୍ର ମିଳିଥିଲା। ତାଙ୍କ ଘର ପଶ୍ଚିମବଙ୍ଗ ବୋଲି ସେ କୌଣସି ପ୍ରମାଣ ଦେଖାଇ ପାରିନଥିଲେ।
ତାରାପଦ ଘଟଣାକୁ ସେତେବେଳେ ରାଜନୈତିକ ଚାପରେ ଚାପି ଦିଆଯାଇଥିଲା। ସେହି ସମୟରେ ସାତଭାୟାବାସୀଙ୍କୁ ସମୁଦ୍ର ଆଁ ମୁହଁରୁ ଆଣି ବଗପାଟିଆରେ ଥଇଥାନ କରାଯାଇଥିଲା। ଚାରିଘରିଆ ଲୋକଙ୍କୁ ସାତଭାୟାବାସୀଙ୍କ ସହ ଥଇଥାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା। ଥଇଥାନସ୍ଥଳୀରେ ଜମି, ଇନ୍ଦିରା ଆବାସ, ପାଇଖାନା ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବାରୁ ଏବଂ ତାରାପଦ ସ୍ଥାନୀୟ ଲୋକ ହୋଇ ନ ଥିବାରୁ ଏହାକୁ ନେଇ ସେତେବେଳେ ବିରୋଧ ହୋଇଥିଲା। ଦୀର୍ଘ ୬ ବର୍ଷ ପରେ ସାତଭାୟାବାସୀଙ୍କ ଥଇଥାନସ୍ଥଳୀ ବଗପାଟିଆରେ ସାତଭାୟାର ଆଉ ୧୪୮ ପରିବାର ସହିତ ଚାରିଘରିଆର ୯୯ ପରିବାରକୁ ଥଇଥାନ ପାଇଁ ଜମି ଚିହ୍ନଟ ଦିଆଯାଇଛି। ଚାରିଘରିଆର ଯେଉଁ ୯୯ ପରିବାରକୁ ଜମି ଚିହ୍ନଟ ଦିଆଯାଇଛି, ସେମାନଙ୍କ ମଧ୍ୟରେ ଅନୁପ୍ରବେଶକାରୀ ଥିବା ନେଇ ସାତଭାୟା ପୁନଃବସତି ଓ ଥଇଥାନ ମଂଚର ଆବାହକ ଡ. ଧରଣୀଧର ରାଉତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଚାରିଘରିଆର ଏହି ୯୯ ପରିବାର ମଧ୍ୟରୁ ତାରାପଦଙ୍କ ଅନ୍ୟ ଦୁଇ ଭାଇ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପୃଥକ ପରିବାର ଦର୍ଶାଇ ଥଇଥାନ କରାଯାଇଛି। ଯଦି ତାରାପଦ ବାଲାଂଦେଶୀ ଅନୁପ୍ରବେଶକାରୀ ହେଲେ, ତେବେ ତାଙ୍କର ଦୁଇ ଭାଇ ଓ ଅନ୍ୟ ପରିବାର ସଦସ୍ୟ କିପରି ଭାରତୀୟ ହେବେ? ଯେଉଁ ତହସିଲ ପ୍ରଶାସନ ପକ୍ଷରୁ ତାରାପଦ ବାଲାଂଦେଶୀ ଅନୁପ୍ରବେଶକାରୀ ବୋଲି ସନ୍ଦେହ କରି ରାଜନଗର ଥାନାରେ ଲିଖିତ ଏତଲା ଦିଆଯାଇଛି, ସେହି ତହସିଲ ପ୍ରଶାସନ ତାରାପଦଙ୍କ ଅନ୍ୟ ଭାଇ ଓ ବନ୍ଧୁ ପରିଜନଙ୍କୁ ଭାରତୀୟ ଭାବେ ସ୍ବୀକୃତି ଦେଇ ଏବେ ଥଇଥାନ କରିଛି। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂପର୍କରେ ରାଜନଗର ତହସିଲଦାର ଅଶ୍ବିନୀ କୁମାର ଭୂୟାଁ କହିଛନ୍ତି ଯେ ସେ ନିକଟରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଭଳି ଘଟଣା ସଂପର୍କରେ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।