‘ବାଂଲାର ରସଗୋଲା’ ଜିଆଇ ମାନ୍ୟତାକୁ ଚ୍ୟାଲେଞ୍ଜ ପ୍ରସଙ୍ଗ :ଆପିଲେଟ୍‌ ବୋର୍ଡରେ ଅପିଲ୍‌ କରିବ ଟ୍ରଷ୍ଟ

ସତ୍ୟପାଠ ବିଳମ୍ବରେ ପହଞ୍ଚିଛି ଦର୍ଶାଇ ପ୍ରତିବାଦ ନାକଚ

ଭୁବନେଶ୍ବର: ଆଜିକୁ ଦୁଇ ବର୍ଷ ପୂର୍ବେ ‘ବାଂଲାର ରସଗୋଲା’କୁ ମିଳିଥିଲା ଜିଆଇ ମାନ୍ୟତା। ତେବେ ଏହାକୁ ଚ୍ୟାଲେଞ୍ଜ କରି ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ପ୍ରତିବାଦପତ୍ର ଦ‌ାଖଲ କରାଯାଇଥିଲା। ଏହି ପ୍ରତିବାଦ ଉପରେ ଯେଉଁ ସତ୍ୟପାଠ ଦାଖଲ କରାଯାଇଥିଲା; ତାହା ବିଳମ୍ବରେ ପହଞ୍ଚିଥିବା ଦର୍ଶାଇ ଆଜି ଜିଆଇ କର୍ତ୍ତୃପକ୍ଷ ତାହା ନାକଚ କରିଦେଇଛନ୍ତି। ତେବେ ଏହା ବିରୋଧରେ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ଆପିଲେଟ୍‌ ବୋର୍ଡରେ ଅପିଲ୍‌ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୭ରେ ‘ବାଂଲାର ରସଗୋଲା’କୁ ଜିଆଇ ମାନ୍ୟତା ମିଳିବା ପରେ, ତାହା ଚଞ୍ଚକତାପୂର୍ଣ୍ଣ ଭାବେ ହାସଲ କରାଯାଇଥିବା ଅଭିଯୋଗ ହୋଇଥିଲା। ତେଣୁ ଏହା ବିରୋଧରେ ‘ପୁଣ୍ୟ ଉତ୍କଳ’ର ସଂଗଠନ ସଂପାଦକ ସୁଶାନ୍ତ ଓ ‘ଓଡ଼ିଆ ପର୍ବ’ର ସଂପାଦକ ସନ୍ତୋଷ କୁମାର ସାହୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିବା ପରେ ରିଜିଓନାଲ୍ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ ପକ୍ଷରୁ ରମେଶ ଚନ୍ଦ୍ର ସାହୁ ଜିଆଇ ରେଜିଷ୍ଟ୍ରିରେ ପ୍ରତିବାଦପତ୍ର ଦାଖଲ କରିଥିଲେ। ଏହି ପ୍ରତିବାଦପତ୍ର ଉପରେ ପକ୍ଷ-ପ୍ରତିପକ୍ଷ ସତ୍ୟପାଠ ଦାଖଲ କରିଥିଲେ। ଜିଆଇ କର୍ତୃପକ୍ଷ ସତ୍ୟପାଠ ଦାଖଲର ଶେଷ ତାରିଖ ୧୬ ଅକ୍ଟୋବର , ୨୦୧୮ ଧାର୍ଯ୍ୟ କରିଥିବା ବେଳେ ଟ୍ରଷ୍ଟ ପକ୍ଷରୁ ଏହି ସତ୍ୟପାଠ ୧୩ ଅକ୍ଟୋବରରେ ଇମେଲ୍‌ କରାଯାଇଥିଲା। ସେହିଦିନ କୋରିୟର୍‌ରେ ମଧ୍ୟ ଏହା ପଠାଯାଇଥିଲା। ମାତ୍ର ଜିଆଇ କର୍ତ୍ତୃପକ୍ଷ ଅକ୍ଟୋବର ୨୯ରେ ଏହା ପାଇଥିବା ଦର୍ଶାଇ ପ୍ରତିବାଦ ଆବେଦନକୁ ନାକଚ କରିଦେଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ, ଅକ୍ଟୋବର ୧୩ରେ ପଠାଯାଇଥିବା ଇମେଲ୍‌କୁ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ରିଜିଓନାଲ୍ ଡେଭଲପ୍‌ମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପ୍ରଶ୍ନ କରିବା ସହ ଜିଆଇ ରେଜିଷ୍ଟ୍ରିର ନିଷ୍ପତ୍ତି ଅତ୍ୟନ୍ତ ପକ୍ଷପାତପୂର୍ଣ୍ଣ ବୋଲି କହିଛନ୍ତି। ତେଣୁ ଜିଆଇ ରେଜିଷ୍ଟ୍ରିର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନୂଆଦିଲ୍ଲୀସ୍ଥିତ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ଆପିଲେଟ୍‌ ବୋର୍ଡରେ ଟ୍ରଷ୍ଟ ପ୍ରତିବାଦ କରିବ ବୋଲି ଶ୍ରୀ ସାହୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର