ଢାକା: ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା କରିବାକୁ ଅନୁରୋଧ କରିଛି ବାଂଲାଦେଶରେ ଥିବା ବିଶ୍ୱ ହିନ୍ଦୁ ମହାସଂଘ | ବିଶ୍ୱ ହିନ୍ଦୁ ମହାସଂଘର, ଢାକା ସଂସ୍କରଣ ପକ୍ଷରୁ କୁହାଯାଇଛି ଯେ ବହୁ ଦିନ କାଳରୁ ପୁରୀରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପାଳିତ ହୋଇଆସୁଛି | ବାଂଲାଦେଶର ଧାମରାଇଠାରେ ମଧ୍ୟ ପ୍ରତିବର୍ଷ ରଥଯାତ୍ରା ପାଳନ କରାଯାଏ | କିନ୍ତୁ ପୁରୀ ରଥଯାତ୍ରା ସମଗ୍ର ବିଶ୍ୱର ହିନ୍ଦୁଙ୍କ ପାଇଁ ଏକ ଗୁରୁତ୍ୱ ରଖୁଥିବାବେଳେ ଚଳିତବର୍ଷ ସୁପ୍ରିମକୋର୍ଟ ଏହାକୁ ବନ୍ଦ କରିବାକୁ ରାୟ ଦେଇଛନ୍ତି | କୋଭିଡ କଟକଣା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଥିବାବେଳେ ଏହା ବାଂଲାଦେଶରେ ଥିବା ସମସ୍ତ ହିନ୍ଦୁଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ବାଂଲାଦେଶର ହିନ୍ଦୁ ସମାଜ ପକ୍ଷରୁ ସୁପ୍ରିମକୋର୍ଟ ଓ ଭାରତ ସରକାରଙ୍କୁ ନିବେଦନ କରାଯାଇଛି ଯେ ଏହି ରାୟ ଉପରେ ପୁନର୍ବିଚାର କରି ସାମାଜିକ ଦୂରତା ରଖି ରଥଯାତ୍ରା କରିବାକୁ ଅନୁମତି ଦିଆଯାଉ | ଏଠାରେ ସୂଚନା ଥାଉ କି ଆସନ୍ତା ୨୩ ତାରିଖରେ ପୁରୀ ସମେତ ରାଜ୍ୟର କୌଣସି ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ। ମହାମାରୀ କରୋନା ପରିପ୍ରେକ୍ଷୀରେ ରଥଯାତ୍ରା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଥିଲେ ।
ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଥିଲେ ଯେ ଚଳିତବର୍ଷ ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ। ମହାମାରୀ ସମୟରେ ଲୋକ ଏକତ୍ରିତ ହୋଇପାରିବେ ନାହିଁ। ତେବେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶର ପୁନଃବିଚାର କରିବା ପାଇଁ ଏକାଧିକ ପିଟିସନ୍ ପଡ଼ିଥିବା ସୂଚନା ମିଳିଛି।