କଟକ: ବାଂଲାଦେଶରେ ଜେଲ୍ ଭାଙ୍ଗି ଅସ୍ତ୍ରଶସ୍ତ୍ର ସହିତ ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ସମୁଦ୍ରପଥରେ ଓଡ଼ିଶା ଆସିବାର ଆଶଙ୍କା କରାଯାଉଛି। ଏଥିପାଇଁ ଓଡ଼ିଶା ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନାକୁ ହାଇଆଲର୍ଟ କରାଯାଇଛି। କୂଳକୁ ଆସୁଥିବା ସମସ୍ତ ବୋଟ୍ ଓ ଟ୍ରଲରରେ ଆସୁଥିବା ବ୍ୟକ୍ତିଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶ ହିଂସା ଓ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ଶେରପୁର ଜିଲ୍ଲା ଜେଲ୍ରୁ ପାଖାପାଖି ୫୧୮ ଅପରାଧୀ ଅସ୍ତ୍ରଶସ୍ତ୍ର ସହିତ ଫେରାର ହୋଇଛନ୍ତି। ବାଂଲାଦେଶରୁ ସମୁଦ୍ରପଥରେ ଓଡ଼ିଶା ପ୍ରବେଶ କରିବା ଆଶଙ୍କାକୁ ନେଇ ଭାରତ ସରକାର ହାଇଆଲର୍ଟ ଜାରି କରିବା ପରେ ଓଡ଼ିଶା ସରକାର ଉପକୂଳ ଜିଲ୍ଲାଗୁଡ଼ିକୁ ସତର୍କ କରିଛନ୍ତି। ବାଲେଶ୍ବରରୁ ଗଞ୍ଜାମ ଯାଏ ୪୫୦ କିମି ଯାଏ ଲମ୍ବିଥିବା ବଙ୍ଗୋପସାଗର ଉପକୂଳ ଏବେ ଓଡ଼ିଶା ପୁଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏହି ସମୁଦ୍ରପଥରେ ବାଂଲାଦେଶୀ ଅନୁପ୍ରବେଶକାରୀ ସିଧାସଳଖ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରିବାର ଆଶଙ୍କା ରହିଛି। ସରକାରୀ ତଥ୍ୟ ଅନୁଯାୟୀ, ଏହି ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ୩ ହଜାର ୯୮୭ ବାଂଲାଦେଶୀ ବସବାସ କରୁଛନ୍ତି। ଏବେ ଯେହେତୁ ବାଂଲାଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି, ତେଣୁ ମାଛଧରା ବୋଟ୍ରେ ଜେଲରୁ ଫେରାର ଅପରାଧୀ କିମ୍ବା ଉପକୂଳ ଜିଲ୍ଲାରେ ରହୁଥିବା ବାଂଲାଦେଶୀଙ୍କ ସମ୍ପର୍କୀୟ ଏହି ବାଟ ଦେଇ ପ୍ରବେଶ କରିବାର ଆଶଙ୍କା ବଢ଼ିଯାଇଛି। ତେଣୁ ରାଜ୍ୟରେ ଉପରୋକ୍ତ ଉପକୂଳ ଜିଲ୍ଲାରେ ଥିବା ୧୮ଟି ସାମୁଦ୍ରିକ ଥାନାକୁ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଳରାମଗଡ଼ି, ଧାମରା, ଜମ୍ବୁ, ପାରାଦୀପ, ଆର୍ଯ୍ୟପଲ୍ଲୀ, ସୋନପୁର, ଚନ୍ଦ୍ରଭାଗା, ପେଣ୍ଠକଟା, ବନ୍ଦର, ଜଟାଧାରୀ, ତନ୍ତିଆପାଳ, କଷାଫଳ, ଚୂଡ଼ାମଣି, ତାଳସାରୀ ଆଦି ସାମୁଦ୍ରିକ ଥାନାରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ୧୫ଟି ସ୍ପିଡ୍ ବୋଟ୍କୁ ସମୁଦ୍ରରେ ପାଟ୍ରୋଲିଂ ପାଇଁ ମୁତୟନ କରାଯାଇଛି।
୧୮ ସାମୁଦ୍ରିକ ଥାନା, ଗୁଇନ୍ଦା ବିଭାଗକୁ ସତର୍କ କରାଇଲେ ଡିଜି
ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର
ଉପରେ ନଜର
ଡିଜିଙ୍କ କହିବା ଅନୁଯାୟୀ, ଉପକୂଳ ଜିଲ୍ଲା ଏସ୍ପି ଓ ସାମୁଦ୍ରିକ ଥାନାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଂଲାଦେଶ ପଟୁ କୌଣସି ଅନୁପ୍ରବେଶକାରୀ ବୋଟ୍ ମାଧ୍ୟମରେ ଆସିଲେ ସେମାନଙ୍କ ଉପରେ ନଜର ରଖିବା ସହିତ ଗୁଇନ୍ଦା ବିଭାଗକୁ ମଧ୍ୟ ସତର୍କ କରାଯାଇଥିବା ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାରଙ୍କ କହିବା ଅନୁଯାୟୀ, ବାଲେଶ୍ବରରୁ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଯାଏ ଅଧିକ ସତର୍କ କରାଯାଇଛି। ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)କୁ ବି ସତର୍କ କରାଯାଇଛି। ଉପକୂଳ ସୁରକ୍ଷା ବିଭାଗ ଏଡିଜିଙ୍କୁ ନୋଡାଲ୍ ଅଫିସର୍ କରାଯାଇଛି। ସେ ଉପକୂଳ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ। ସମୁଦ୍ର କୂଳରେ ଗୁଇନ୍ଦାକୁ କ୍ରିୟାଶୀଳ କରାଯାଇଛି। ବନ୍ଦରକୁ ଓ କୂଳକୁ ଆସୁଥିବା ବୋଟ୍ଗୁଡ଼ିକରେ କିଏ ଆସୁଛନ୍ତି, ସେ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି। ବାଂଲାଦେଶରେ ଜେଲ୍ ଭାଙ୍ଗି ଅପରାଧୀମାନେ ବାହାରକୁ ଚାଲିଆସିଛନ୍ତି। ତେଣୁ ସେମାନେ ଓଡ଼ିଶା ପଶିଆସିବାର ଆଶଙ୍କା ଅଧିକ ରହିଛି। ବେଆଇନ ଅନୁପ୍ରବେଶକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବନାହିଁ। ସମୁଦ୍ରକୂଳରେ ପାଟ୍ରୋଲିଂ ବଢ଼ାଇ ଦିଆଯାଇଥିବା ଶ୍ରୀ କୁମାର ସୂଚନା ଦେଇଛନ୍ତି।